ତିରୁପତି ମନ୍ଦିରରେ ବିବାହକୁ ନେଇ ଏମିତି କହିଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିବାରେ ସଫଳ ହୋଇଛନ୍ତି। ସେ ଗତ କିଛି ଦିନ ଧରି ତାଙ୍କ ପ୍ରେମିକ ଶିଖର ପହରିୟାଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଉଭୟ ବିଭିନ୍ନ ପାର୍ଟି ଓ ଇଭେଣ୍ଟରେ ଏକାଠି ଯୋଗ ଦେଉଥିବାର ଅନେକବାର ନଜର ଆସିଛନ୍ତି। ତେବେ ନିକଟରେ ଜାହ୍ନବୀଙ୍କୁ ନେଇ ଏକ ଗୁଜବ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସେ ତିରୁପତି ମନ୍ଦିରରେ ପ୍ରେମିକ ଶିଖରଙ୍କୁ ବିବାହ କରିବାକୁ ଚାହୁଁଥିବା ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଏହି ସମସ୍ତ ରିପୋର୍ଟକୁ ଭିତ୍ତିହୀନ କହି ଜାହ୍ନବୀ ଖଣ୍ଡନ କରିଛନ୍ତି।
ବିଭିନ୍ନ ବଲିଉଡ୍‌ ଅପଡେଟ୍‌ ଦେଉଥିବା ଏକ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଏକ ପୋଷ୍ଟ ଶେୟାର କରାଯାଇଥିଲା, ଯେଉଁଥିରେ ଜାହ୍ନବୀ ଓ ଶିଖରଙ୍କ ଫଟୋ ରହିଥିଲା। ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ ଶିଖରଙ୍କୁ ଜାହ୍ନବୀ ବିବାହ କରିବାକୁ ଚାହୁଁଛନ୍ତି ବୋଲି ଏହି ପୋଷ୍ଟରେ ଦର୍ଶାଯାଇଥିଲା। ତେବେ ଜାହ୍ନବୀ ଏହି ପୋଷ୍ଟକୁ ନେଇ ରିଆକ୍ଟ କରିଛନ୍ତି। ସେ ଏହି ପୋଷ୍ଟର କମେଣ୍ଟ ସେକ୍ସନକୁ ଯାଇ ‘କୁଛ ଭି’ କମେଣ୍ଟ କରିଛନ୍ତି। ଜାହ୍ନବୀଙ୍କ କମେଣ୍ଟ ପରେ ସୋସିଆଲ ମିଡିଆରେ ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ସେ ଅନେକ ଥର ତିରୁପତି ଯାଇଛନ୍ତି ଏବଂ ସେଠାରେ ବିବାହ କରିବାକୁ ଚାହୁଁଛନ୍ତି ବୋଲି ଜାହ୍ନବୀ ପୂର୍ବରୁ ଏକ ଗଣମାଧ୍ୟମରେ ସାକ୍ଷାତ୍‌କାର ଦେଇ କହିଥିଲେ। ସେ ଗ୍ରାଣ୍ଡ ୱେଡିଂକୁ ପସନ୍ଦ କରୁ ନ ଥିବା ଏହି ସାକ୍ଷାତ୍‌କାରରେ କହିଥିଲେ।
ଶେଷଥର ପାଇଁ ଜାହ୍ନବୀ ଗତବର୍ଷ ରିଲିଜ୍‌ ହୋଇଥିବା ‘ବୱାଲ’ ଚଳଚ୍ଚିତ୍ରରେ ନଜର ଆସିଥିଲେ। ଏଥିରେ ସେ ବରୁଣ ଧାୱନଙ୍କ ସହ ମୁଖ୍ୟ ଭୂମିକାରେ ରହିଥିଲେ। ଆଗାମୀ ଦିନରେ ସେ ଶରନ୍‌ ଶର୍ମାଙ୍କ ନିର୍ଦ୍ଦେଶିତ ‘ମିଷ୍ଟର ଆଣ୍ଡ ମିସେଜ୍‌ ମାହୀ’ ଫିଲ୍ମରେ ରାଜକୁମାର ରାଓଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ଆସନ୍ତା ୩୧ରେ ମୁକ୍ତିଲାଭ କରିବ।

Share