ବିନା ଭକ୍ତରେ ଜନ୍ମାଷ୍ଟମୀ

ଭୁବନେଶ୍ୱର,୧୨ା୮(ବ୍ୟୁରୋ): ପ୍ରତିବର୍ଷ ମନ୍ଦିରଗୁଡ଼ିକରେ ଧୁମଧାମରେ ପାଳିତ ହେଉଥିବା ଜନ୍ମାଷ୍ଟମୀ ଏଥର ନିରାଡ଼ମ୍ବରରେ ପାଳନ କରାଯାଇଛି। ମଙ୍ଗଳବାର ମନ୍ଦିରରେ ନା ଥିଲା ଭକ୍ତଙ୍କ ଗହଳି ନା ଶୁଭୁଥିଲା ହରିବୋଲ ହୁଳହୁଳି। ଭକ୍ତଙ୍କ ପାଇଁ ଭଗବାନଙ୍କ ଦ୍ୱାର ବନ୍ଦ ରହିଥିଲା। କରୋନା ମହାମାରୀ ଯୋଗୁ ସମସ୍ତ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଥିବାରୁ କେବଳ ନୀତିକାନ୍ତି ଅନୁଯାୟୀ ଠାକୁରଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ବ୍ରତ ଭାଙ୍ଗିବା ପାଇଁ ମନ୍ଦିର ଯାଇଥିବା ଶ୍ରଦ୍ଧାଳୁ ମନ୍ଦିର ବାହାରେ ରହି ଠାକୁରଙ୍କ ଆରାଧନା କରିଥିଲେ।
ରାଜଧାନୀର ବିଭିନ୍ନ ମନ୍ଦିର ଓ ଅନୁଷ୍ଠାନରେ ଜନ୍ମାଷ୍ଟମୀ ପାଳିତ ହୋଇଥିଲେ ମଧ୍ୟ ଶ୍ରଦ୍ଧାଳୁଙ୍କ ଅନୁପସ୍ଥିତିରେ ସବୁକିଛି ଫିକା ପଡ଼ିଥିଲା। ସବୁବର୍ଷ ଭଳି ଏଥର ପୂଜାପାଠ, ଭଜନ କୀର୍ତ୍ତନ ଓ ନାମ ସଂକୀର୍ତ୍ତନ ଭିତରେ ନନ୍ଦଲାଲା ଭକ୍ତଙ୍କ ଗହଣରେ ଝୁଲାରେ ଝୁଲି ନ ଥିଲେ। ମନ୍ଦିର ମଠ ବନ୍ଦ ଥିବାରୁ ଘରେ ନନ୍ଦଲାଲାଙ୍କ ପୂଜା କରି ବ୍ରତ ରଖିଥିଲେ ଭକ୍ତ। ରାଜଧାନୀର ରାମମନ୍ଦିର, ଇସ୍କନ ମନ୍ଦିର, ବାୟାବାବା ମଠ ସମେତ ବିଭିନ୍ନ କୃଷ୍ଣ ମନ୍ଦିର ଓ ଜଗନ୍ନାଥ ମନ୍ଦିରରେ ଜନ୍ମାଷ୍ଟମୀ ପାଇଁ ସ୍ବତନ୍ତ୍ର ପୂଜା ବିଧିର ଆୟୋଜନ କରାଯାଇଥିଲା। ମନ୍ଦିର ବାହାରେ ଦୀପ, ଧୂପ ନୈବେଦ୍ୟ ଅର୍ପଣ କରି ପ୍ରଭୁଙ୍କ ନିକଟରେ ବ୍ରତଧାରୀ ଶୁଭ ମନାସି ଥିଲେ।

Share