୧୪ କି.ମି. ଭାରରେ ବୁହାହେଲେ ଗର୍ଭବତୀ

ଭବାନୀପାଟଣା,୨୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ପୁଣି ସାମ୍ନାକୁ ଆସିଛି ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସିପାରି ନ ଥିଲା। ଶେଷରେ ବାଧ୍ୟହୋଇ ପରିବାର ଲୋକେ ଗର୍ଭବତୀଙ୍କୁ ଭାରରେ ପ୍ରାୟ ୧୪ କି.ମି. ବୋହି ନେଇଥିଲେ। ଶୁକ୍ରବାର ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିଲେଟ ପଞ୍ଚାୟତ ଝାଞ୍ଜି ଗାଁରେ। ଆଦିବାସୀ ଅଧ୍ୟୁଷିତ ଅପହଞ୍ଚ ଅଞ୍ଚଳ ଭାବେ ପରିଚିତ ଥୁଆମୂଳ ରାମପୁର ବ୍ଲକର ୬୦ ପ୍ରତିଶତ ଗାଁକୁ ପକ୍କା ରାସ୍ତା ନାହିଁ, ଯେଉଁଥିପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। ଝାଞ୍ଜି ଗାଁର ରଶ୍ମିତା ମାଝିଙ୍କୁ ପ୍ରସବ ବେଦନା ହୋଇଥିଲା। ଡାକ୍ତରଖାନା ନେବା ପାଇଁ ପରିବାର ଲୋକେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ହେଲେ ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସିପାରି ନ ଥିଲା। ଶେଷରେ ବାଧ୍ୟହୋଇ ପରିବାର ଲୋକେ ପ୍ରାୟ ୧୪ କି.ମି. ପେଡିପଦର ଛକ ପର୍ଯ୍ୟନ୍ତ ଭାରରେ ବୋହି ନେଇଥିଲେ। ପରେ ସେଠାରୁ ଏକ ଅଟୋ ଯୋଗେ କଲ୍ୟାଣୀସିଂପୁର ଡାକ୍ତରଖାନାକୁ ନେଇ ରଶ୍ମିତାଙ୍କୁ ଭର୍ତ୍ତି କରିଥିଲେ ପରିବାର ଲୋକେ। ମିଳିଥିବା ସୂଚନା ଅନୁଯାୟୀ, ସୀମାବର୍ତ୍ତୀ ସିଲେଟ ପଞ୍ଚାୟତ ବ୍ଲକ ମୁଖ୍ୟାଳୟଠାରୁ ୭୦ କିଲୋମଟର ଦୂରରେ ଥିବା ବେଳେ ଲୋକେ ରାୟଗଡା ଜିଲା କଲ୍ୟାଣୀସିଂପୁର ଉପରେ ନିର୍ଭର କରିଥାନ୍ତି। ଗାଁକୁ ରାସ୍ତା ନ ଥିବା ବେଳେ ବିଭିନ୍ନ ସମୟରେ ରୋଗୀ ଓ ଗର୍ଭବତୀଙ୍କୁ ଭାରରେ ବୋହି ଆଣିବାକୁ ପଡିଥାଏ। ଗାଁକୁ ରାସ୍ତା ନିର୍ମାଣ ନେଇ ବାରମ୍ବାର ଦାବି ପରେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।

Share