ଆସନ୍ତା ବର୍ଷ ‘ସୁଶାନ୍ତ ମୁନ୍‌’ ଭାବେ ପାଳିତ ହେବ ଦିବଙ୍ଗତ ଅଭିନେତାଙ୍କ ଜନ୍ମଦିନ

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ବଲିଉଡର ପ୍ରତିଭାବାନ କଳାକାରଙ୍କ ମଧ୍ୟରୁ ଜଣେ ଥିଲେ। ଅଭିନୟ ସାଙ୍ଗକୁ ଅନ୍ତରୀକ୍ଷ ପ୍ରତି ତାଙ୍କର ଦୁର୍ବଳତା ଥିଲା। ଏପରିକି ସେ ଜହ୍ନରେ ଜାଗା କିଣିଥିଲେ। ଏବେ ତାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ଲୁନର ସୋଶାଇଟି ଦେଇଛି ଜନ୍ମଦିନ ଉପହାର। ସୁଶାନ୍ତଙ୍କ ଆସନ୍ତା ଜନ୍ମଦିନ ୨୦୨୩ ଜାନୁଆରୀ ୨୧ ତାରିଖକୁ ‘ସୁଶାନ୍ତ ମୁନ୍‌’ ରୂପେ ପାଳନ କରାଯିବ । ଅନ୍ତରୀକ୍ଷ ପ୍ରତି ସୁଶାନ୍ତଙ୍କ ଭଲପାଇବାକୁ ମନେ ପକାଇ ନିଆଯାଇଛି ଏପରି ପଦକ୍ଷେପ।

୨୦୨୦ ଜୁନ ୧୪ରେ ନିଜ ଘରୁ ସୁଶାନ୍ତଙ୍କ ମୃତଦେହ ମିଳିଥିଲା। ଯାହାକି ତାଙ୍କ ଫ୍ୟାନ୍ସଙ୍କୁ ଖୁବ ଧକ୍କା ଦେଇଥିଲା। ତେବେ ମୃତ୍ୟୁ ପୂର୍ବରୁ ଅନ୍ତରୀକ୍ଷ ଉପରେ ପର୍ଯ୍ୟବେଷିତ ଏକ ଫିଲ୍ମ ‘ଚନ୍ଦା ମାମା ଦୂର କେ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ଲାଗି ସୁଶାନ୍ତଙ୍କ ନାମ ଫାଇନାଲ ହୋଇଥିଲା। ଏଥିନିମନ୍ତେ ସେ ଖୁବ ଉତ୍ସାହିତ ଥିବା ସହ ଆମେରିକା ବି ଯାଇଥିଲେ । ହେଲେ ଏହା ପୂର୍ବରୁ ଅଘଟଣ ଘଟିଥିଲା।

ଅଭିନେତାଙ୍କ ମୃତ୍ୟୁ ପରେ ଅନ୍ତରୀକ୍ଷ ପ୍ରତି ତାଙ୍କ ଭଲ ପାଇବାକୁ ମନେ ପକାଇ ତାଙ୍କ ଜନ୍ମ ଦିନକୁ ‘ସୁଶାନ୍ତ ମୁନ୍‌’ ରୂପେ ପାଳନ କରିବ ବୋଲି ଲୁନର୍‌ ସୋଶାଇଟି ନିଜ ସୋସିଆଲ ମିଡିଆ ସାଇଟ୍‌ରେ ଘୋଷଣା କରିଛି।

Share