ପରମାଣୁ ଶକ୍ତି ନେଇ ଆଲୋଚନା କରୁ ଜାପାନ

ଟୋକିଓ,୧।୩: ରୁଷିଆ-ୟୁକ୍ରେନ ଯୁଦ୍ଧ ଉପରେ ବିଶ୍ୱବାସୀଙ୍କ ନଜର ଥିବାବେଳେ ଜାପାନର ପୂର୍ବତନ ପ୍ରଧାନ ମନ୍ତ୍ରୀ ସିଞ୍ଜୋ ଆବେଙ୍କ ବୟାନ ସଭିଁଙ୍କ ଦୃଷ୍ଟି ଆକର୍ଷଣ କରିଛି। ସ୍ଥାନୀୟ ଗଣମାଧ୍ୟମ ଏକ କାର୍ଯ୍ୟକ୍ରମ ଯୋଗ ଦେବା ଅବସରରେ ପରମାଣୁ ଶକ୍ତି ନେଇ ଆବେ ଚିନ୍ତା ପ୍ରକାଟ କରିଛନ୍ତି। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ଦୃଷ୍ଟିରେରଖି ଆବେ ଆମେରିକା ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଯଦି ତାଇଓ୍ବାନ ଉପରକୁ ଚାଇନା ଆକ୍ରମଣ କରେ ତେବେ ଆମେରିକାର ଆଭିମୁଖ୍ୟ କ’ଣ ରହିବ? ତାଇଓ୍ବାନ ଓ ଚାଇନା ମଧ୍ୟରେ ଯୁଦ୍ଧ ହେଲେ ଜାପାନ ଅଧିକ କ୍ଷତିଗ୍ରସ୍ତ ହେବ ।
ତାଇଓ୍ବାନକୁ କରଗତ କରିବା ପାଇଁ ଚାଇନା ସବୁ ପ୍ରକାର ବଳ ପ୍ରୟୋଗ କରିବ। ଯେଉଁଥିରେ ପରମାଣୁ ଶକ୍ତି ମଧ୍ୟ ସାମିଲ ଅଛି। ତାଇଓ୍ବାନଠାରୁ ୧୧୦ କିମି ଦୂରରେ ଜାପାନର ୟୋନାଗୁନି ଦ୍ୱୀପ ଅବସ୍ଥିତ। ଚାଇନା ଓ ତାଇଓ୍ବାନ ମଧ୍ୟରେ ସଂଘର୍ଷ ହେଲେ ଚାଇନା ପ୍ରଥମେ ଜଳ ଏବଂ ଆକାଶ ମାର୍ଗକୁ ବାଛିବ। ବର୍ତ୍ତମାନ ବଳପୂର୍ବକ ରୁଷିଆ ଯଦି ଯୁଦ୍ଧରେ ବିଜୟୀ ହୁଏ ତେବେ ତାଇଓ୍ବାନ ଉପରକୁ ଆକ୍ରମଣ ପାଇଁ ଚାଇନାକୁ ପରୋକ୍ଷ ଭାବେ ରୁଷିଆର ସମର୍ଥନ ମିଳିଯିବ। ଚାଇନା ଓ ତାଇଓ୍ବାନ ବିବାଦ ନେଇ ଜାପାନ ସର୍ବଦା ଚୁପ୍‌ ରହି ଆସିଛି। କାରଣ ଜାପାନର ଅର୍ଥନୀତି ସମ୍ପୂର୍ଣ୍ଣଭାବେ ଚାଇନା ଉପରେ ନିର୍ଭରଶୀଳ। ତାଇଓ୍ବାନ ଉପରେ ଚାଇନାର ଆକ୍ରମଣକୁ ଆଶଙ୍କା କରି ପରମାଣୁ ଶକ୍ତି ବିଷୟରେ ଉଭୟ ନାଟୋ ଏବଂ ଆମେରିକା ସହ ଜାପାନ ଆଲୋଚନା କରୁ ବୋଲି ସେ କହିଛନ୍ତି।

Share