ଟୋକିଓ,୧।୯: ଚାଇନା ଏବଂ ଉତ୍ତର କୋରିଆ ସହ ମୁକାବିଲା କରିବା ପାଇଁ ଜାପାନ ପ୍ରସ୍ତୁତି ଆରମ୍ଭ କରିଛି। ୨୦୨୪ ଆର୍ଥିକ ବର୍ଷ ପାଇଁ ଜାପାନ ରେକର୍ଡ ୫୨.୬୭ ବିଲିୟନ ଡଲାରର ପ୍ରତିରକ୍ଷା ବଜେଟର ପ୍ରସ୍ତାବ ଦେଇଛି। ଜାପାନ ଇତିହାସରେ ଏହା ହେଉଛି ସର୍ବ ବୃହତ ପ୍ରତିରକ୍ଷା ବଜେଟ। ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ୫ ବର୍ଷ ମଧ୍ୟରେ ସାମରିକ ଖର୍ଚ୍ଚକୁ ୪୩ ଟ୍ରିଲିୟନ ୟେନକୁ ବୃଦ୍ଧି କରିବାର ଯୋଜନା ମଧ୍ୟରେ ଏହା ହେଉଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଚାଇନା ସମାଲୋଚନା କରି ଜାପାନ କ୍ଷତିଗ୍ରସ୍ତ ଫୁକୁସିମା ଆଣବିକ କାରଖାନାରୁ ବିଶୋଧିତ ରେଡିଓଆକ୍ଟିଭ ଜଳକୁ ସମୁଦ୍ରରେ ପକାଇବା ଆରମ୍ଭ କରିଛି।
ବଜେଟ ଅନୁରୋଧ ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରଣାଳୟ ନୂତନ ଜାହାଜ ଆଧାରିତ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ସମେତ ଗୋଳା ବାରୁଦ ଓ ଅସ୍ତ୍ରଶସ୍ତ୍ର ପାଇଁ ୯୦୦ ବିଲିୟନ ୟେନରୁ ଅଧିକ ରଖିବାକୁ ଯୋଜନା କରିଛି। ହାଇପରସୋନିକ ଅସ୍ତ୍ରଶସ୍ତ୍ରକୁ ପ୍ରତିହତ କରିବା ପାଇଁ ଜାପାନ ଆମେରିକା ସହିତ ମିଳିତ ଭାବେ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ମଧ୍ୟ ବିକଶିତ କରିବ।