ଚାଇନାର ନୂତନ ମାନଚିତ୍ରକୁ ବିରୋଧ କଲା ଜାପାନ

ଟୋକିଓ,୬।୯: ଗତ ମାସରେ ଚାଇନା ଦ୍ୱାରା ପ୍ରକାଶିତ ନୂତନ ମାନଚିତ୍ରକୁ ନେଇ ବିବାଦ ବଢିବାରେ ଲାଗିଛି। ଏଥିରେ ପୂର୍ବ ଚାଇନା ସାଗରର ବିବାଦୀୟ ସେନକାକୁ ଦ୍ୱୀପପୁଞ୍ଜକୁ ଏହାର ଅଞ୍ଚଳର ଏକ ଅଂଶ ଭାବରେ ବର୍ଣ୍ଣନା କରିଛି। ବର୍ତ୍ତମାନ ଜାପାନ ମଧ୍ୟ ଏହାକୁ ନେଇ ତୀବ୍ର ବିରୋଧ ପ୍ରଦର୍ଶନ କରିଛି। ପୂର୍ବରୁ ଭାରତ, ଫିଲିପାଇନ୍ସ, ମାଲେସିଆ, ଭିଏତନାମ ଏବଂ ତାଇୱାନ ଏହି ମାନଚିତ୍ରରେ ଆପତ୍ତି ଉଠାଇ ସାରିଛନ୍ତି।
ଜାପାନର ମୁଖ୍ୟ କ୍ୟାବିନେଟ ସଚିବ ହିରୋକାଜୁ ମାଟସୁନୋ କହିଛନ୍ତି ଯେ, ଏହି ନୂତନ ମାନଚିତ୍ର ଉପରେ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ତାଙ୍କ ଦେଶ ଚାଇନାକୁ କଡ଼ା ବିରୋଧ କରିଛି। ଟୋକିଓ ବେଜିଂକୁ ମାନଚିତ୍ରକୁ ବାତିଲ କରିବାକୁ ଅନୁରୋଧ କରିଛି। କାରଣ ଏଥିରେ ଦକ୍ଷିଣ ଜାପାନର ଓକିନାୱା ପ୍ରିଫେକ୍ଟରର ସେନକାକୁ ଦ୍ୱୀପପୁଞ୍ଜକୁ ଚାଇନାର ଏକପାଖିଆ ଦାବି ଉପରେ ଆଧାରିତ ବିବରଣୀ ରହିଛି।
ତଥାକଥିତ ଚାଇନା ମାନଚିତ୍ରରେରେ ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇ ଚୀନ ନିଜ ଅଞ୍ଚଳର ଦାବି କରିଛି। ଏହାକୁ ଭାରତ ବିରୋଧ ପ୍ରଦର୍ଶନ କରି କହିଛି ଯେ, ଏହି ପଦକ୍ଷେପ କେବଳ ସୀମା ପ୍ରଶ୍ନର ସମାଧାନକୁ ଜଟିଳ କରିଥାଏ।

Share