ଚାଇନା କ୍ରୋଧ ପ୍ରକାଶ କରିବା ପରେ ବି ମାଛ ଖାଇ ବିଶ୍ୱକୁ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ,୧।୯: ଜାପାନର ଫୁକୁସିମା ଆଣବିକ କାରଖାନାରୁ ବା ନ୍ୟୁକ୍ଲିୟର ପ୍ଲାଣ୍ଟରୁ ରେଡିଓଆକ୍ଟିଭ ଜଳକୁ ପ୍ରଶାନ୍ତ ମହାସାଗରରେ ଛାଡିବାକୁ ନେଇ ଚାଇନା କ୍ରୋଧିତ ହୋଇଛି। ଏଭଳି ପରିସ୍ଥିତିରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢୁଥିବା ଜଣାପଡିଛି। ଏହି ସମୟରେ, ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମାଛ ଖାଇ ଚାଇନା ସମେତ ସମଗ୍ର ବିଶ୍ୱକୁ ଜଣାଇବାକୁ ଚେଷ୍ଟା କରିଛନ୍ତି ଯେ ବର୍ଜ୍ୟବସ୍ତୁ ରେଡିଓଆକ୍ଟିଭ ଜଳ ସମୁଦ୍ରକୁ ଯିବା ପରେ ମଧ୍ୟ ମାଛ ଖାଇବା ନିରାପଦ ଅଟେ। ସୂଚନାଯୋଗ୍ୟ, ଯେ ଜାପାନ ୧୨ ବର୍ଷ ଧରି ଫୁକୁସିମାର ଆଣବିକ ବିଦ୍ୟୁତ କେନ୍ଦ୍ରରେ ଗଚ୍ଛିତ ରେଡିଓଆକ୍ଟିଭ ଜଳ ଛାଡିବା ଆରମ୍ଭ କରିଛି, ଏହାପରେ ଚାଇନା ଏବଂ ହଂକଂ ଫୁକୁସିମାର ସାମୁଦ୍ରିକ ଖାଦ୍ୟକୁ ଅସୁରକ୍ଷିତ କହିବା ସହ ଏଡା ଉପରେ ପ୍ରତିବନ୍ଧକ ଲଗାଇଛି।
ସୂଚନାଯୋଗ୍ୟ, ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏବଂ ତାଙ୍କ ସରକାରର ତିନିଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟାହ୍ନ ଭୋଜନରେ ଫୁକୁସିମା ଉପକୂଳରୁ ଆଣିଥିବା ମାଛରୁ ପ୍ରସ୍ତୁତ ସାଶିମି (ଜାପାନୀ ଖାଦ୍ୟ) ଖାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମାଛ ଖାଉଥିବା ଭିଡିଓ ଜାପାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ସେୟାର କରାଯାଇଛି। ଯାହା ପରେ ସୋସିଆଲ ମିଡିଆରେ ଏହି କ୍ଲିପ ଭାଇରାଲ ହେଉଛି । ଏହି ମାଛ ଖାଇବା ପରେ ଜାପାନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ମାଛ ବହୁତ ସ୍ବାଦିଷ୍ଟ ଏବଂ ନିରାପଦ ଅଟେ। ଭିଡିଓରେ ତାଙ୍କ ସହ ଅନେକ ମନ୍ତ୍ରୀ ମଧ୍ୟ ଫୁକୁସିମାରୁ ମାଛ ଖାଉଥିବା ନଜର ଆସିଛନ୍ତି। ଏହି କ୍ଲିପରେ ନେତାମାନେ ଫୁକୁସିମା ଅଞ୍ଚଳର ଫଳ, ଚାଉଳ ଏବଂ ପନିପରିବା ଉପଭୋଗ କରୁଥିବା ଦେଖାଯାଇଛି।

Share