ଟୋକିଓ,୨୮।୮: ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ଗତ କିଛି ଦିନରୁ ସିଞ୍ଜୋ ଆବେଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ରହିଛି। ସ୍ବାସ୍ଥ୍ୟଗତ କାରଣରୁ ତାଙ୍କୁ ବାରମ୍ବାର ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁଛି। ଫଳରେ ଏହାର ପ୍ରଭାବ ସିଧାସଳଖ ତାଙ୍କ କାର୍ଯ୍ୟଭାର ଉପରେ ପଡ଼ୁଛି। ଏଥିଯୋଗୁ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। କୁହାଯାଉଛି, ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ କରି ଏନେଇ ସେ ଘୋଷଣା କରିପାରନ୍ତି। ୨୦୧୨ରୁ ଲଗାତର ଭାବେ ସିଞ୍ଜୋ ଆବେ ଜାପାନର ପ୍ରଧାନମନ୍ତ୍ରୀ ରହିଆସିଛନ୍ତି। ଏହାପୂର୍ବରୁ ୨୦୦୬ରେ କିଛି ସମୟ ପାଇଁ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ତେବେ ତାଙ୍କ ଇସ୍ତଫା ପରେ କିଏ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବ ସେନେଇ ଚର୍ଚ୍ଚା ଲାଗିରହିଛି।