Categories: ଜାତୀୟ

୫ ବର୍ଷରେ ଭାରତରେ ୩.୧୮ ଲକ୍ଷ କୋଟି ନିବେଶ ପାଇଁ ଜାପାନର ପ୍ରସ୍ତାବ…

ନୂଆଦିଲ୍ଲୀ/ଟୋକିଓ, ୧୯।୩ : ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଶିଖର ବୈଠକ କରିବେ। ୟୁକ୍ରେନ ସଙ୍କଟ ଏବଂ ଏସିଆରେ ବଢୁଥିବା ଚାଇନାର ହସ୍ତକ୍ଷେପ ସମ୍ପର୍କରେ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି। ଜାପାନ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ୩.୧୮ ଲକ୍ଷ କୋଟି (୪୨ବିଲିୟନ ଡ଼ଲାର) ପୁଞ୍ଜି ବିନିଯୋଗ ପ୍ରସ୍ତାବ ଘୋଷଣା କରିବ ବୋଲି କୁହାଯାଉଛି।

ଗତ ବର୍ଷ ଜାପାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ କିଶିଦାଙ୍କର ଏହା ପ୍ରଥମ ଭାରତ ଗସ୍ତ। ଏହାପୂର୍ବରୁ ୨୦୧୪ ରେ, ତତ୍କାଳୀନ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ୩୫୦ ବିଲିୟନ୍‌ ୟେନ ନିବେଶ ଘୋଷଣା କରିଥିଲେ।

ଜାପାନର ଖବରକାଗଜ ନିକ୍କେଇ ଏସିଆ ରିପୋର୍ଟ କରିଛି ଯେ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ପାଞ୍ଚ ବର୍ଷ ମଧ୍ୟରେ ଏହି ନିବେଶ କରିବାକୁ ଯୋଜନା କରିଛନ୍ତି। କିଶିଡା ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି । ଜାପାନ ଏହାର ବୁଲେଟ ଟ୍ରେନ ଟେକ୍ନୋଲୋଜି ଉପରେ ଆଧାର କରି ଭାରତର ସହରାଞ୍ଚଳ ଭିତ୍ତିଭୂମି ବିକାଶ ତଥା ଏକ ହାଇ ସ୍ପିଡ ରେଳ ନେଟୱାର୍କ ପ୍ରତିଷ୍ଠା କରିବାରେ ସାହାଯ୍ୟ କରୁଛି।

କିଶିଦା ଅର୍ଥନୈତିକ ସହଯୋଗ ସହ ଦ୍ୱିପାକ୍ଷିକ ସମ୍ପର୍କର ବିକାଶ ଉପରେ ଗୁରୁତ୍ୱାରୋପ କରବାର ସମ୍ଭାବନା ରହିଛି। ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ ପ୍ରକଳ୍ପର ଅନ୍ୟାନ୍ୟ ସ୍ଥାନକୁ ବିସ୍ତାର କରିବା ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି।

Share