ନୂଆଦିଲ୍ଲୀ,୨୧।୩: ଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କୁ ଭେଟିଛନ୍ତି। ଏ ନେଇ ସୋମବାର ସକାଳେ ଫୁମିଓ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ। ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଭିତରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ଏହି ଅବସରରେ ଖବରଦାତା ସମ୍ମିଳନୀକୁ ସମ୍ବୋଧନ କରି ମୋଦି କହିଛନ୍ତି, ଡିଜିଟାଲ ଟେକ୍ନୋଲୋଜି, ପୁଞ୍ଜି ନିବେଶ ଏବଂ ସ୍ବାସ୍ଥ୍ୟ ସେବାକୁ ବ୍ୟାପକ କରିବା ପାଇଁ ଦୁଇ ଦେଶ ଏକାଠି କାର୍ଯ୍ୟ କରିବେ। ଏଥିସହ ସେମି-କଣ୍ଡକ୍ଟର୍ସ ସପ୍ଲାଏ ଚେନ୍ ଏବଂ ଅନ୍ୟ ଜଟିଳ ଟେକ୍ନୋଲୋଜି ଉପରେ କାମ କରିବା ନେଇ ଆଲୋଚନା କରିଥିବା ମୋଦି କହିଛନ୍ତି। ଅନ୍ୟପକ୍ଷେ ଭାରତ ସହ ଦ୍ୱିପାକ୍ଷିକ ସମ୍ବନ୍ଧ ସ୍ଥାପନ ଦ୍ୱାରା ଉଭୟ ଦେଶର ଅର୍ଥନୀତିରେ ବୃଦ୍ଧି ଘଟିଥିବା କିଶିଦା ପ୍ରତିକ୍ରିୟା ଦେଇଛନ୍ତି। ମେ’ରେ ଜାପାନରେ ହେବାକୁ ଥିବା ଜି୭ ସମିଟିରେ ଯୋଗଦେବା ଲାଗି ଫୁମିଓ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି। ଜାପାନ ଆଗାମୀ ୫ ବର୍ଷରେ ଭାରତରେ ୫ ଟ୍ରିଲିୟନ୍ ୟେନ୍ (୩,୨୦,୦୦୦ କୋଟି ଟଙ୍କା) ନିବେଶ କରିବାର ଯୋଜନା ରଖିଛି। ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ଫୁମିଓଙ୍କୁ ଚନ୍ଦନକାଠରେ ନିର୍ମିତ ଏକ ବୁଦ୍ଧ ମୂର୍ତ୍ତି ମୋଦି ଉପହାର ସ୍ବରୂପ ପ୍ରଦାନ କରିଛନ୍ତି।