ନୂଆଦିଲ୍ଲୀ,୧୧।୧: କରୋନା ମହାମାରୀ ସମୟରେ ସାଧାରଣ ଜନତା ନାନା ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି, ଏଭଳି ଏକ କଠିନ ସମୟରେ ପୁଣି ଥରେ ସହଯୋଗର ହାତ ବଢ଼ାଇବା ପାଇଁ ଉଭୟ ଦେଶ ଆଗକୁ ଆସିଛନ୍ତି। କରୋନା ମହାମାରୀ ଭଳି ଏକ ଅସମୟରେ ଦୁଇ ଦେଶ ମଧ୍ୟରେ ଗରିବ, ଦୁର୍ବଳ, ଚିକିତ୍ସା କ୍ଷେତ୍ରରେ ସହାୟତା ପାଇଁ ୩୦ ବିଲିୟନ (୨୧୦୦ କୋଟି) ଟଙ୍କାର ବୁଝାମଣା ସ୍ବାକ୍ଷରିତ ହୋଇଛି। ଏ ସମ୍ପର୍କରେ ଭାରତୀୟ ଅର୍ଥ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ସି.ଏସ୍. ମହାପାତ୍ର ଏବଂ ଜାପାନର ରାଷ୍ଟ୍ରଦୂତ ସୁଜୁକି ସତୋଶିଙ୍କ ମଧ୍ୟରେ ଏହି ରାଜିନାମା ସ୍ବାକ୍ଷରିତ ହୋଇଥିବା ଜଣାପଡ଼ିଛି। ବାର୍ଷିକ ୦.୬୫% ସୁଧ ହାରରେ ଏହି ରାଜିନାମା ହେବା ସହିତ ଋଣଦେୟର ସମୟସୀମା ୧୫ ବର୍ଷ ରଖାଯାଇଛି। ପୂର୍ବରୁ ଜାପାନ କୋଭିଡ୍ ପରିଚାଳନା ପାଇଁ ଭାରତକୁ ୫୦ ବିଲିୟନ୍ ୟେନ୍ ସହାୟତା କରିଥିଲା। ସେହିଭଳି ୧ ବିଲିୟନ୍ ୟେନ୍ (୭୧ କୋଟି)ର ଅତିରିକ୍ତ ସହାୟତା ମଧ୍ୟ ଦେଇଥିଲା।
ଭାରତ ପକ୍ଷରୁ କୁହାଯାଇଛି ଯେ, ଜାପାନର ଏହି ଆର୍ଥିକ ସହାୟତାକୁ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନାରେ ଖର୍ଚ୍ଚ କରାଯିବ। ଫଳରେ ଭାରତରେ ସାମାଜିକ ଉନ୍ନତିରେ ସ୍ଥିରତା ଆସିପାରିବ ବୋଲି ଆକଳନ କରାଯାଉଛି। ଏହା ସହିତ କୋଭିଡ୍-୧୯ ସମୟରେ ନିଜ ଜୀବନକୁ ବାଜି ଲଗାଇ ସଂକ୍ରମିତଙ୍କ ସେବା କରୁଥିବା ଓ ଏହି ଅସମୟରେ ସରକାର ଓ ସାଧାରଣ ଲୋକଙ୍କ ନିକଟରେ ଛିଡା ହୋଇଥିବା ସମସ୍ତ କରୋନା ଯୋଦ୍ଧାଙ୍କର ଏକ ସ୍ବତନ୍ତ୍ର ବୀମା ମଧ୍ୟ କରାଯିବ। ଏହି ଋଣ ଅର୍ଥକୁ ନିର୍ମାଣ ଶ୍ରମିକଙ୍କ ସହାୟତା ସହ ଗରିବଙ୍କୁ ଆବଶ୍ୟକ ଖାଦ୍ୟ ସାମଗ୍ରୀ ଏବଂ ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି।