Categories: ଖେଳ

ପୂର୍ବ ଅଭିଜ୍ଞତାରୁ ଫାଇଦା ଉଠାଇବ ଜାପାନ

ଭୁବନେଶ୍ୱର,୧୦ା୧(ସ୍ପୋଟର୍‌ସ ବ୍ୟୁରୋ): ହକି ବିଶ୍ୱକପ ୨୦୨୩ ପାଇଁ ସୋମବାର ଓଡ଼ିଶାରେ ପହଞ୍ଚିଛି ଜାପାନ ହକି ଦଳ। ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଦଳ ପହଞ୍ଚିବା ପରେ ଭବ୍ୟ ସ୍ବାଗତ କରାଯାଇଛି। ଏହି ଟୁର୍ନାମେଣ୍ଟରେ ଦଳ ନିଜର ଶତ ପ୍ରତିଶତ ଦେବ ବୋଲି କହିଛନ୍ତି ଜାପାନ ମୁଖ୍ୟ କୋଚ୍‌ ଆକିରା ଟାକାହାଶି। ଦଳ ଭାରତୀୟ ପରିବେଶରେ ପୂର୍ବରୁ ଖେଳିଛି। ଏହି ଅଭିଜ୍ଞତାରୁ ଦଳ ଫାଇଦା ଉଠାଇବାକୁ ଚେଷ୍ଟା କରିବ ବୋଲି କହିଛନ୍ତି କୋଚ୍‌। ଜାପାନ୍‌ ପୁଲ୍‌ ବିରେ ଡିଫେଣ୍ଡିଂ ଚାମ୍ପିୟନ୍‌ ବେଲଜିୟମ, ଜର୍ମାନୀ ଓ ଦକ୍ଷିଣ କୋରିଆ ସହିତ ସ୍ଥାନ ପାଇଛି। ଜର୍ମାନୀ ବିପକ୍ଷରୁ ଦଳ ଜାନୁୟାରୀ ୧୪ ତାରିଖରେ ଏହାର ଅଭିଯାନ ଆରମ୍ଭ କରିବ। ଆମ ଦଳରେ ଅନେକ ଭଲ ଖେଳାଳି ରହିଛନ୍ତି ଓ ଆମେ ବିଶ୍ୱର ଯେ କୌଣସି ଟପ୍‌ ଟିମ୍‌କୁ ଚ୍ୟାଲେଞ୍ଜ ଦେବାରେ ସମର୍ଥ ବୋଲି କହିଛନ୍ତି ଟାକାହାଶି। ଓଡ଼ିଶାର ଦର୍ଶକଙ୍କ ସମ୍ମୁଖରେ ଖେଳିବା ଆମକୁ ସର୍ବଦା ଖୁସି ଦେଇଥାଏ ବୋଲି ସେ କହିଛନ୍ତି। କଷ୍ଟସାଧ୍ୟ ଗ୍ରୁପରେ ସ୍ଥାନ ପାଇଥିଲେ ହେଁ ଆମେ ଅନ୍ୟ ଦଳକୁ କଡା ଚ୍ୟାଲେଞ୍ଜ ଦେବୁ ବୋଲି ସେ କହିଛନ୍ତି।
ଟୁର୍ନାମେଣ୍ଟ ପୂର୍ବରୁ ଦଳର ପ୍ରସ୍ତୁତି ଉଚ୍ଚକୋଟୀର ରହିଛି। ଡିଫେଣ୍ଡିଂ ଚାମ୍ପିୟନ ବେଲଜିୟମ ଓ ଜର୍ମାନୀ ପରି ଶକ୍ତିଶାଳୀ ଦଳ ବିପକ୍ଷରେ କଡା ଟକ୍କର ଦେବା ପାଇଁ ଖେଳାଳି ମାନେ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଖେଳାଳି ମାନଙ୍କ ନିଜ ଦକ୍ଷତା ଉପରେ ପୂର୍ଣ୍ଣ ଭରସା ରହିଛି ଏବଂ ଏହି ମ୍ୟାଚ ଗୁଡିକ ଜିତିବା ପାଇଁ ଦଳ ସମ୍ପୂର୍ଣ୍ଣ ପ୍ରୟାସ କରିବ। ଓଡ଼ିଶାରେ ହକି ବିଶ୍ୱକପ ଖେଳିବାକୁ ନେଇ ବେଶ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି ଦଳର ଅଧିନାୟକ ସେରେନ୍‌ ଟାନାକା। ବଡ ଟିମ୍‌ ଗୁଡିକୁ ଚ୍ୟାଲେଞ୍ଜ କରିବା ନେଇ ସମ୍ପୂର୍ଣ୍ଣ ଦଳ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଅନେକ ବୃହତ୍ତର ଲକ୍ଷ୍ୟ ସହିତ ଆମେ ଏହି ଟୁର୍ନାମେଣ୍ଟରେ ପ୍ରବେଶ କରିଛୁ। ଦଳଗତ ଭାବରେ ଆମେ ଶ୍ରେଷ୍ଠ ପ୍ରଦର୍ଶନର ପ୍ରୟାସ ସହିତ ଅଭିଜ୍ଞତା ହାସଲ କରିବୁ ବୋଲି ସେ କହିଛନ୍ତି।

Share