ତାଇଓ୍ବାନରୁ ଫେରିବେ ଜାପାନ ନାଗରିକ

ତାଇପେଇ, ୩ା୯: ତାଇଓ୍ବାନ ପ୍ରଣାଳୀରେ ଚାଇନା ସେନାର ସମରାଭ୍ୟାସ, ବେଜିଂ ଡ୍ରୋନ୍‌କୁ ତାଇପେଇ ଗୁଳି ଖସାଇବା ପରେ ଦୁଇ ପଡ଼ୋଶୀ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଚାଇନା ଏହି ଦ୍ୱୀପରାଷ୍ଟ୍ର ଉପରେ ଆକ୍ରମଣ କରିବା ଆଶଙ୍କାରେ ତାଇଓ୍ବାନ ନିଜକୁ ମୁକାବିଲା ପାଇଁ ପ୍ରସ୍ତୁତ କରୁଛି। ଏହା ଭିତରେ ସେଠାରେ ରହୁଥିବା ନିଜ ନାଗରିକଙ୍କ ସୁରକ୍ଷା ଚିନ୍ତା ଜାପାନ ସରକାରଙ୍କୁ ଘାରିଛି। ତାଇଓ୍ବାନରୁ ଲୋକଙ୍କୁ ଫେରାଇଆଣିବା ନିମନ୍ତେ ଜାପାନ ଆର୍‌ଓସି ଡାଏଟ୍‌ ମେମ୍ବସର୍ତ କନ୍‌ସୁଲ୍‌ଟେଟିଭ୍‌ କାଉନସିଲ୍‌ର ଅଧ୍ୟକ୍ଷ ଫୁରୁୟା କେଇଜି ଏବଂ କାଉନ୍‌ସିଲର ସାଧାରଣ ସମ୍ପାଦକ କିହାରା ମିନୋରୁ ତାଇପେଇ ସରକାରଙ୍କ ପ୍ରତିନିଧିମଣ୍ଡଳୀ ସହ ଆଲୋଚନା କରିଛନ୍ତି। ଯୁଦ୍ଧ ସ୍ଥିତି ଉପୁଜିଲେ କିପରି ଲୋକଙ୍କୁ ସେଠାରୁ ସୁରକ୍ଷିତ ବାହାର କରାଯାଇପାରିବ ତାହା ଉପରେ ବ୍ଲୁପ୍ରିଣ୍ଟ ତିଆରି କରାଯାଉଛି।
ଅଗଷ୍ଟ ୩ରେ ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତକୁ ନେଇ ଚାଇନା ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରଖିଛି। ଏହି ଦ୍ୱୀପ ରାଷ୍ଟ୍ରକୁ ନିଜର ବୋଲି ଦାବି କରିଆସୁଥିବା ବେଜିଂ ଆକ୍ରମଣ ଦ୍ୱାରା ଏହାକୁ ମୁଖ୍ୟ ଭୂଖଣ୍ଡରେ ମିଶାଯାଇପାରିବ ବୋଲି ପୂର୍ବରୁ କହିଆସୁଛି। ତେଣୁ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଯେ କୌଣସି ମୁହୂର୍ତ୍ତରେ ଅନୁପ୍ରବେଶ ଆଶଙ୍କା ଥିବାରୁ ତାଇଓ୍ବାନ ବଡ଼ସ୍ତରରେ ମୁକାବିଲା ପ୍ରସ୍ତୁତି ଚଳାଇଛି। ମିନୋରୁ କହିଛନ୍ତି, ଗଣତାନ୍ତ୍ରିକ ଶାସନ ଥିବା ତାଇଓ୍ବାନ ସହ ଜାପାନର ପ୍ରତ୍ୟକ୍ଷ କୂଟନୈତିକ ସମ୍ପର୍କ ନାହିଁ। ଏଭଳି ପରିସ୍ଥିତିରେ ଜାପାନ ସରକାରଙ୍କ ବଦଳରେ ଏକ ପ୍ରତିନିଧି ଦଳ ତାଇୱାନ ସରକାରଙ୍କ ସହ ସିଧାସଳଖ ଆଲୋଚନା କରିପାରିବେ। ଗତ ଅଗଷ୍ଟ ୨୨ରୁ ୨୪ ପର୍ଯ୍ୟନ୍ତ ତାଇଓ୍ବାନ ଗସ୍ତରେ ଥିବା ଜାପାନ ସଂସଦୀୟ ଦଳ ଏ ପ୍ରସଙ୍ଗରେ ତାଇପେଇ ସହ ଚୁକ୍ତି କରିଛି। ତାଇଓ୍ବାନରେ ପ୍ରାୟ ୨୦ ହଜାର ଜାପାନ ନାଗରିକ ରହିଛନ୍ତି। ସାଧାରଣତଃ କୌଣସି ଜରୁରିକାଳୀନ ସ୍ଥିତିରେ ଜାପାନ ଏହାର ସେଲ୍ଫ ଡିଫେନ୍ସ ଫୋର୍ସେସ୍‌(ଜେଏସ୍‌ଡିଏଫ୍‌) ବିମାନ ଜରିଆରେ ନିଜ ନାଗରିକଙ୍କୁ ଉଦ୍ଧାର କରିଥାଏ। ତେବେ ଚାଇନା ତାଇଓ୍ବାନ ଉପରେ ଆକ୍ରମଣ କଲେ ଜାପାନ ସେଠାକୁ ବିମାନ ପଠାଇବା କଷ୍ଟକର ହୋଇପାରେ। କାରଣ ଟୋକିଓର ଏପରି କାମକୁ ବେଜିଂ ବିରୋଧ କରିପାରେ। ତେଣୁ ଘରୋଇ ବିମାନ କିମ୍ବା ଜାହାଜ ଦ୍ୱାରା ଉଦ୍ଧାର ଏକ ବିକଳ୍ପ ହୋଇପାରେ। ଚାଇନାର ଆକ୍ରମଣ ପୂର୍ବରୁ ଘରୋଇ ବିମାନ ଏବଂ ଜାହାଜଗୁଡିକ ଥଇଥାନ ପାଇଁ ବ୍ୟବହୃତ ହେବାର ମଧ୍ୟ ସମ୍ଭାବନା ରହିଛି। ଏଭଳି ପରିସ୍ଥିତିରେ ଜାପାନ ଚାହୁଁଛି, ଆକ୍ରମଣ ପୂର୍ବରୁ ତାଇଓ୍ବାନରୁ ନିଜ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ନିମନ୍ତେ ତାଇପେଇ ଏକ ମଜଭୁତ ବିକଳ୍ପ ଆଗୁଆ ପ୍ରସ୍ତୁତ କରି ରଖିବା ଜରୁରୀ।

Share