ଜାପାନର ଫୁକୁସିମା ଆଣବିକ କାରଖାନାରୁ ଛଡାଯିବ ଜଳ, ବିରୋଧ ସତ୍ତ୍ୱେ ବଡ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ

ଟୋକିଓ,୨୨।୮: ଆସନ୍ତାକାଲି ଫୁକୁସିମା ଆଣବିକ କାରଖାନାରୁ ବିଶୋଧିତ ରେଡିଓଆକ୍ଟିଭ ବର୍ଜ୍ୟଜଳ ସମୁଦ୍ରକୁ ଛାଡିବା ଆରମ୍ଭ କରିବ। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମଙ୍ଗଳବାର ଏହି ଘୋଷଣା କରିଛନ୍ତି। କହିବାକୁ ଗଲେ ଏହି ନିଷ୍ପତ୍ତି ଏମିତି ସମୟରେ ନିଆଯାଇଛି ଯେଉଁ ସମୟରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଚିନ୍ତା ବଢୁଛି। ଏଥି ସହିତ ଚାଇନା କ୍ରମାଗତ ଭାବରେ ଏହାର ବିରୋଧ କରୁଛି।
ମଙ୍ଗଳବାର ସକାଳେ ଏକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଏହି ନିଷ୍ପତ୍ତି ନିଆଯାଇଛି। ବାସ୍ତବରେ, ୨୦୧୧ରେ ହୋଇଥିବା ବଡ଼ ଭୂକମ୍ପ ଏବଂ ସୁନାମି ପରଠାରୁ ଏହି ସ୍ଥାନ ବହୁ ପରିମାଣର ଜଳ ଜମା କରିଥିଲା। ୨୦୨୧ରେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା ପ୍ରଶାନ୍ତ ମହାସାଗରରେ ଜଳ ମୁକ୍ତ କରିବାକୁ ଅନୁମୋଦନ କରିଥିଲେ, ଏବଂ ବର୍ତ୍ତମାନର ପ୍ରଶାସନ ଜାନୁୟାରୀରେ ଘୋଷଣା କରିଛି ଯେ ବସନ୍ତ ଏବଂ ଗ୍ରୀଷ୍ମ ମଧ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ।
ଏହାପୂର୍ବରୁ ଜୁଲାଇରେ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (ଆଇଏଇଏ) ରିପୋର୍ଟ କରିଥିଲା ଯେ ଜାପାନର ଯୋଜନା ବିଶ୍ୱ ସୁରକ୍ଷା ମାନଦଣ୍ଡ ସହ ମେଳ ଖାଉଛି ଏବଂ ଏହା ମାନବ ତଥା ପରିବେଶ ଉପରେ ଅଧିକ ପ୍ରଭାବ ପକାଇବ ନାହିଁ। ଏହା ପରେ ହିଁ ସରକାର ନିଷ୍ପତ୍ତି ନେଇଥିଲେ ଯେ ଜଳ ମୁକ୍ତ ହୋଇପାରିବ। ଅନେକ ୟୁରୋପୀୟ ଦେଶ ଜାପାନର ଖାଦ୍ୟ ଉପରେ ଆମଦାନୀ ପ୍ରତିବନ୍ଧକକୁ ହ୍ରାସ କରିଥିବାବେଳେ ଚାଇନା ଏହାର ପଡ଼ୋଶୀଙ୍କ ସାମୁଦ୍ରିକ ଖାଦ୍ୟ ରପ୍ତାନି ଉପରେ ପରୀକ୍ଷା ଆରମ୍ଭ କରିଛି। ଏହା କୂଟନୈତିକ ଉତ୍ତେଜନା ସୃଷ୍ଟି କରିଛି।

Share