Categories: ଜାତୀୟ

ପ୍ରଥମ ଥର ଭାରତ ଗ୍ରସ୍ତରେ ଜାପାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୩: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଭାରତ-ଜାପାନର ୧୪ତମ ବାର୍ଷିକ ଶିଖର ସମ୍ମିଳନୀରେ ସେ ଅଂଶଗ୍ରହଣ କରିବେ। କିଶିଡା ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣକ୍ରମେ ଏହି ସମ୍ମିଳନୀରେ ଭାଗ ନେବାକୁ ଆସୁଛନ୍ତି ବୋଲି ଭାରତୀୟ ବର୍ହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ମାର୍ଚ୍ଚ ୧୯ ଅର୍ଥାତ୍‌ ଶନିବାର ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ସେହି ଦିନ ହିଁ କିଶିଡା ଭାରତରେ ପହଞ୍ଚିବେ। ସୂଚନାଯୋଗ୍ୟ, ଅକ୍ଟୋବର ୨୦୨୧ରେ କିଶିଡା ଜାପାନର ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ସହ ତାଙ୍କର ଏହା ପ୍ରଥମ ସାକ୍ଷାତକାର। ତେବେ ୨୦୧୮ରେ ଟୋକିଓରେ ଶେଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହାପରେ ବିଭିନ୍ନ କାରଣରୁ ଏହା ବାତିଲ ହୋଇଥିଲା। ଅନ୍ୟପଟେ ମୋଦି ଓ କିଶିଡାଙ୍କ ଏହି ସୌଜନ୍ୟମୂଳକ ସାକ୍ଷାତକାରରେ ୨ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଆଲୋଚନା ହେବ। ଏହି ସମ୍ମିଳନୀରେ ଉଭୟ ନେତା ଭାରତ-ପ୍ରଶାନ୍ତ ମହାସାଗରରେ ସେମାନଙ୍କର ସହଭାଗିତାକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା କରିବେ। ଏତଦ୍‌ ବ୍ୟତୀତ ଉଭୟ ଦେଶ ଆମେରିକା ଏବଂ ଅଷ୍ଟ୍ରେଲିଆ ସହିତ କ୍ୱାଡ ଗୋଷ୍ଠୀର ସଦସ୍ୟ ମଧ୍ୟ ରହିଛନ୍ତି। ଭାରତ-ପ୍ରଶାନ୍ତ କ୍ଷେତ୍ରରେ ବୃଦ୍ଧି ପାଉଥିବା ଚାଇନାର ହସ୍ତକ୍ଷେପକୁ ଅଟକାଇବା ପାଇଁ ୨ଦେଶ ମିଳିତ ଭାବେ ଚେଷ୍ଟା କରିବେ ବୋଲି ସୂଚନା ରହିଛି। ତେବେ ଏହି ସମୟରେ ୟୁକ୍ରେନ ଯୁଦ୍ଧ ଯୋଗୁ ଉଭୟ ଦେଶ ରୁଷିଆ ବିରୋଧରେ ଭିନ୍ନ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

Share