ଭୁବନେଶ୍ୱର, ୧୧।୪ (ବ୍ୟୁରୋ)ରାକୁ ଚା’ ପାତ୍ରକୁ ଜଣେ ସୁପ୍ରସିଦ୍ଧ ଜାପାନୀ କଳାକାର ‘ତନକା ଚୋଜିରୋ’ ଷୋଡଶ ଶତାବ୍ଦୀରେ ଆରମ୍ଭ କରିଥିଲେ।
ଚୋଜିରୋ ସେ ସମୟର ରାଜା ଶୋଗୁନ୍ ତୋୟୋତୋମୀ ହିଦେୟୋଶିଂକର ରାଜପ୍ରସାଦ ଛାତ ପାଇଁ ଏକ ସ୍ବତନ୍ତ୍ର ଖପର ପ୍ରସ୍ତୁତ କରିଥିଲେ। ଏଥିରେ ରାଜା ଅତ୍ୟନ୍ତ ପ୍ରସନ୍ନ ହୋଇ ଚୋଜିରୋଙ୍କୁ ଏକ ମୋହର ଦେଇ ସମ୍ମାନିତ କରିଥିଲେ।
ଉକ୍ତ ମୋହରରେ ଏକ ଶବ୍ଦ ଖୋଦିତ ହୋଇଥିଲା ଯାହା ‘ରାକୁ’ ଅଟେ। ରାକୁର ଅର୍ଥ ଜାପାନୀ ଭାଷାରେ ଖୁସି ବା ଆନନ୍ଦ। ଏହା ପରଠାରୁ ‘ରାକୁ’ ଚୋଜିରୋଙ୍କ ବଂଶ ପାଇଁ ଏକ ଆଖ୍ୟା ରୂପେ ପାରିବାରିକ ନାମ ସହ ଯୋଡି ହୋଇଯାଇଥିଲା। ପରେ ସେହି ପ୍ରଣାଳୀରେ ଚୋଜିରୋ ଏକ ଚା’ ପାତ୍ର ତିଆରି କରିଥିଲେ। ଏହି ଚା’ ପାତ୍ର ଉକ୍ତ ନାମାନୁସାରେ ‘ରାକୁ’ ସେରାମିକ୍ ଭାବେ ବେଶ୍ ପ୍ରସିଦ୍ଧି ଲାଭ କରିଛି। ପରମ୍ପରାଗତ ଚକ ନିର୍ମିତ ପଦ୍ଧତି ପରିବର୍ତ୍ତେ ପାତ୍ରଗୁଡ଼ିକୁ ଶିଳ୍ପୀମାନେ ହାତରେ ତିଆରି କରି ବିଭିନ୍ନ ଆକୃତି ଦେଇଥାନ୍ତି। ପରେ ଏହି ମାଟି ପ୍ରସ୍ତୁତ ପାତ୍ରକୁ କମ୍ ତାପମାତ୍ରାରେ ଫାୟାରିଂ କରି ସୀସା ଗ୍ଲେଜ୍ ଦ୍ୱାରା ଏକ ପ୍ରଲେପର ଆବରଣ ଦିଆଯାଏ । ଏଗୁଡ଼ିକ ଶୁଖିଲା ପରେ ସ୍ବତନ୍ତ୍ର ଚୁଲିରେ ନିର୍ଦ୍ଦିଷ୍ଟ ତାପମାତ୍ରାରେ ପୋଡାଯାଏ। ପାରମ୍ପରିକ ଜାପାନୀ ପ୍ରକ୍ରିୟାରେ ରାକୁ ଖଣ୍ଡକୁ ଗରମ ଚୁଲିରୁ ବାହାର କରାଯାଇ ଖୋଲା ଆକାଶରେ ଥଣ୍ଡା କରିବାକୁ ରଖି ଦିଆଯାଏ। ଏହାଦ୍ବାରା ଅଳ୍ପ ସମୟ ମଧ୍ୟରେ ପୋଡ଼ିବା ପ୍ରକ୍ରିୟା ସମାପନ ସହ ଚମତ୍କାର ଚିକିମିକି ପୃଷ୍ଠଭୂମି ବିଶିଷ୍ଟ ଆକୃତି ପ୍ରସ୍ତୁତ ହୁଏ। ଏହିଭଳି ଏକ ସ୍ବତନ୍ତ୍ର କଳାକୁ ନେଇ ଆର୍ଥ ଆର୍ଟ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ‘ରାକୁ ସେରାମିକ୍ ଫାୟାରିଂ ଶିବିର’ ରବିବାର ଉଦ୍ଯାପିତ ହୋଇଯାଇଛି। ଭକ୍ତ ମଧୁନଗର, ଗଣ୍ଡମୁଣ୍ଡା ପରିସରରେ ୭ଦିନ ଧରି ଅନୁଷ୍ଠିତ ଏହି ଶିବିରକୁ ଫାଉଣ୍ଡେଶନର ପ୍ରତିଷ୍ଠାତା ସରୋଜ କୁମାର ରାଉତ ଆୟୋଜନ କରିବା ସହ ପ୍ରଶିକ୍ଷଣ ଦେଇଥିଲେ। ଉଦ୍ଯାପନୀ ଉତ୍ସବରେ ଆସାମର ମୁଦ୍ରଣ ଶିଳ୍ପୀ ଖିଲ୍ ବାହାଦୁର ଛେତ୍ରି, ଧଉଳି ଚାରୁ କାରୁ କଳା ମହାବିଦ୍ୟାଳୟର ଅଧ୍ୟାପକ ଚନ୍ଦନ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ।