Categories: ଖେଳ

ଜାସ୍ପର ଜିତିଲେ ତୃତୀୟ ଷ୍ଟେଜ୍‌

ବିଲ୍‌ବାଓ (ସ୍ପେନ), ୪।୭: ବେଲଜିୟମର ଆଲ୍‌ପେସିନ-ଡେକେୟୁନିଙ୍କ୍‌ ଟିମ୍‌ ରାଇଡର ଜାସ୍ପର ଫିଲିପସେନ ଚଳିତ ଟୁର ଡି’ ଫ୍ରାନ୍ସ ସାଇକେଲ ରେସ୍‌ର ତୃତୀୟ ଷ୍ଟେଜ୍‌ ଜିତିଛନ୍ତି। ସୋମବାର ଆମୋରେବେଟା ଇସ୍କାନୋ (ସ୍ପେନ୍‌)ଠାରୁ ବେଓନି ପର୍ଯ୍ୟନ୍ତ ୧୯୩.୫ (୧୨୦.୨ ମାଇଲ) କିଲୋମିଟର ବିଶିଷ୍ଟ ଫ୍ଲାଟ୍‌ ଷ୍ଟେଜ୍‌କୁ ଜାସ୍ପର ୪ ଘଣ୍ଟା ୪୩.୧୫ ସେକେଣ୍ଡ ସମୟନେଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ଜର୍ମାନୀର ଫିଲ୍‌ ବୌହସ ଦ୍ୱିତୀୟ ଓ ଅଷ୍ଟ୍ରେଲିଆର କାଲେସ ଇଓ୍ବାନ ତୃତୀୟ ସ୍ଥାନରେ ରହିଛନ୍ତି। ତୃତୀୟ ଷ୍ଟେଜ ଶେଷସୁଦ୍ଧା ଗ୍ରେଟ ବ୍ରିଟେନର ୟୁଏଇ ଟିମ୍‌ ଏମିରେଟ୍ସ ରାଇଡର ଆଡାମ ୟେଟ୍ସ ଓଭରଅଲ୍‌ ରାଇଡର୍ସ ଷ୍ଟାଣ୍ଡିଂରେ ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ସ୍ଲୋଭେନିଆର ଟାଡେଜ ପୋଗାକର ଦ୍ୱିତୀୟ ଓ ବ୍ରିଟେନର ସିମନ ୟେଟ୍ସ ତୃତୀୟରେ ରହିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଟୁର୍‌ ଡି’ ଫ୍ରାନ୍ସର ପ୍ରଥମ ଷ୍ଟେଜରେ ଆଡାମ ୟେଟ୍ସ ତାଙ୍କ ଯାଆଁଳା ଭାଇ ସିମନ ୟେଟ୍ସଙ୍କୁ ପଛରେ ପକାଇ ପ୍ରଥମ ଷ୍ଟେଜରେ ବିଜୟ ଲାଭ କରିଥିଲେ। ଦ୍ୱିତୀୟ ଷ୍ଟେଜକୁ ଜିତିଥିଲେ ଫ୍ରାନ୍ସର ଭିକ୍ଟର ଲାଫେ।

Share