Categories: ଖେଳ

ଟି୨୦ ବିଶ୍ୱକପ୍‌ରୁ ବାହାର ହୋଇପାରନ୍ତି ବୁମ୍‌ରା, ଚିନ୍ତା ବଢ଼ାଉଛି…

ନୂଆଦିଲ୍ଲୀ,୧୨।୮: ଏସିଆ କପ୍‌ ୨୦୨୨ ଲାଗି ନିକଟରେ ଦଳ ଘୋଷଣା କରିଥିଲା ବିସିସିଆଇ। ଏଥିରୁ ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରାଙ୍କୁ ବାଦ୍‌ ଦିଆଯାଇଥିଲା। ପୀଠିରେ ସମସ୍ୟା କାରଣରୁ ସେ ଚୟନ ଲାଗି ଉପଲବ୍ଧ ନ ଥିଲେ। ଏବେ ସେ ଏନ୍‌ସିଏରେ ରହି ସୁସ୍ଥ ହେଉଥିବା ବେଳେ କେବେ ସେ ସୁସ୍ଥ ହେବେ ସେ ନେଇ କେଣସି ସୂଚନା ମିଳିପାରୁ ନାହିଁ। ଏପରିସ୍ଥିତିରେ ସେ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ଖେଳିବା ନେଇ ସନ୍ଦେହ ଦେଖାଦେଇଛି।

ଏକ ରିପୋର୍ଟରେ କୁହାଯାଇଛି ଯେ, ବୁମ୍‌ରା ନ ଖେଳିବା ଚିନ୍ତାର ବିଷୟ। ବୁମ୍‌ରାଙ୍କ କ୍ଷତ ପୂରୁଣା ହୋଇଥିବା ଚିନ୍ତାଜନକ। ଟି୨୦ ବିଶ୍ୱକପ୍‌ ଖେଳାଯିବାକୁ ଆଉ ଦୁଇ ମାସ ବାକି ଅଛି। ତାଙ୍କୁ ଭୁଲ୍‌ ସମୟରେ ଆଘାତ ଲାଗିଛି। ଆମେ ତାଙ୍କ ଉପରେ ତିକ୍ଷ୍ଣ ଦୃଷ୍ଟି ରଖିଛୁ। ସେ ଏବେ କ୍ରିକେଟରେ ସର୍ବଶ୍ରେଷ୍ଠ ବୋଲର୍‌। ତାଙ୍କର ଚିକିତ୍ସା ଠିକ୍‌ ଭାବେ ହେବା ଆବଶ୍ୟକ।
ତେବେ କହିରଖୁଛୁ, ବୁମ୍‌ରା ପୂର୍ବରୁ ମଧ୍ୟ ପିଠି ସମସ୍ୟାକୁ ନେଇ ଅନେକ ସିରିଜରୁ ବାଦ୍‌ ପଡ଼ିଛନ୍ତି। ଭାରତୀୟ ଟିମ୍‌ର ପ୍ରମୁଖ ଦ୍ରୁତ ବୋଲର ହୋଇଥିବା ଯୋଗୁ ବୁମ୍‌ରାଙ୍କ କାର୍ଯ୍ୟ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ତାଙ୍କୁ ଅଧିକାଂଶ ସିରିଜରେ ଆରାମ ଦିଆଯାଇଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ତାଙ୍କୁ ଆରାମ ଦିଆଯାଇଥିଲା। ହେଲେ ସେ ଏସିଆ କପ୍‌ରେ ଖେଳିବାକୁ ଫେରିଥାନ୍ତେ। ଏବେ ବୁମ୍‌ରାଙ୍କ ଅନୁପସ୍ଥିତିରେ ଭୁବନେଶ୍ୱର କୁମାର ଭାରତର ଦ୍ରୁତ ବୋଲିଂକୁ ସମ୍ଭାଳିବେ। ହେଲେ ସମୟ ଥାଉ ବୁମ୍‌ରା ସୁସ୍ଥ ହୋଇଯିବେ ବୋଲି ସମସ୍ତେ ଆଶା ରଖିଛନ୍ତି।

Share