ନୂଆଦିଲ୍ଲୀ,୮ା୮: ଭାରତର ସିନିୟର ଫାଷ୍ଟ ବୋଲର ଯଶପ୍ରୀତ୍ ବୁମ୍ରା ଏସିଆ କପ୍ ଟି୨୦ ଟୁର୍ନାମେଣ୍ଟରେ ଖେଳିବେ ନାହିଁ। ତାଙ୍କ ପିଠିରେ ଆଘାତ ଲାଗିଥିବାରୁ ସୁସ୍ଥ ହେବା ପାଇଁ ତାଙ୍କୁ କିଛି ସମୟ ଲାଗିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି ଯେ, ଆଗକୁ ଟି୨୦ ବିଶ୍ୱକପ୍ ରହିଛି। ବୁମ୍ରା ଆମର ଜଣେ ପ୍ରମୁଖ ବୋଲର। ତାଙ୍କୁ ଏସିଆ କପ୍ରେ ଖେଳାଇ ଆମେ ରିସ୍କ ନେବାକୁ ଚାହୁଁନା। କାରଣ ଏହାଦ୍ୱାରା ତାଙ୍କ ଇଞ୍ଜୁରୀ ହୁଏତ ବଢିଯାଇପାରେ। ବୁମ୍ରା ଶେଷ ଥର ପାଇଁ ବିଦେଶରେ ଇଂଲଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଖେଳିଥିଲେ। ପରେ ତାଙ୍କୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏବଂ ଆଗାମି ଜିମ୍ବାଓ୍ବେ ବିପକ୍ଷ ସିରିଜରୁ ବିଶ୍ରାମ ଦିଆଯାଇଛି। ପିଠିରେ ଇଞ୍ଜୁରି ପାଇଁ ତାଙ୍କୁ ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନ୍ସିଏ)ରେ ରିହାବିଲିଟେଶନରେ ରହିବାକୁ ପଡ଼ିବ। ତାଙ୍କ ଅନୁପସ୍ଥିତିରେ ଏସିଆ କପ୍ ପାଇଁ ଦଳରେ ଆଭେଶ ଖାଁଙ୍କୁ ସ୍ଥାନ ମିଳିପାରେ।