Categories: ଖେଳ

ବାପା ହେଲେ ଜଶପ୍ରୀତ୍‌ ବୁମ୍‌ରା

ନୂଆଦିଲ୍ଲୀ,୪।୯: ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ୍‌ ବୁମ୍‌ରା ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସ୍ତ୍ରୀ ସଞ୍ଜନା ଗଣେଶନ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏନେଇ ସେ ତାଙ୍କ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି। ଆଜିକାଲି ଖେଳାଯାଉଥିବା ଏସିଆ କପରେ ବୁମରା ଭାରତୀୟ ଦଳର ଏକ ଅଂଶ, କିନ୍ତୁ ସେପ୍ଟେମ୍ବର ୪ରେ ନେପାଳ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ ପୂର୍ବରୁ ସେ ମୁମ୍ବାଇ ଫେରିଥିଲେ।
ବୁମରା ସୋସିଆଲ ମିଡିଆ ଜରିଆରେ ଏକ ଫଟୋ ଶେୟାର କରିଛନ୍ତି,ଯେଉଁଥିରେ କେବଳ ତାଙ୍କ ଛୋଟ ପୁଅର ହାତ ଦେଖାଯାଉଛି। ଏହି ଫଟୋରେ କ୍ୟାପସନ ଦେଇ ସେ ନିଜ ହୃଦୟର କଥା ଲେଖିଛନ୍ତି। ଆମର ଛୋଟ ପରିବାର ବଡ ହୋଇଗଲାଣି ଏବଂ ଆମର ହୃଦୟ ପରିପୂର୍ଣ୍ଣ ହୋଇଅଛି, ଯାହା ଆମେ କଳ୍ପନା କରି ନ ଥିଲୁ! ଆଜି ସକାଳେ ଆମେ ଆମର ଛୋଟ ପୁଅ ଅଙ୍ଗଦ ଜସପ୍ରୀତ ବୁମ୍‌ରାଙ୍କୁ ଦୁନିଆକୁ ସ୍ବାଗତ କଲୁ ବୋଲି ବୁମ୍‌ରା କହିଛନ୍ତି।
ବୁମରା ଆଘାତରୁ ସୁସ୍ଥ ହୋଇ ପ୍ରାୟ ଏକ ବର୍ଷ ପରେ ଦଳକୁ ଫେରିଥିଲେ। ଏସିଆ କପ ପୂର୍ବରୁ ଆୟର୍ଲାଣ୍ଡ ଗସ୍ତରେ ତାଙ୍କୁ ଭାରତର ଦାୟିତ୍ୱ ଦିଆଯାଇଥିଲା। ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ବୁମ୍‌ରାଙ୍କ ଅଧିନାୟକତ୍ୱରେ ଭାରତ ଏକ ଚମତ୍କାର ୨-୦ ବିଜୟ ହାସଲ କରିଥିଲା। ଆୟର୍ଲାଣ୍ଡ ଗସ୍ତରେ ବୁମରା ଚମତ୍କାର ବୋଲିଂ ପ୍ରଦର୍ଶନ କରି ପୁନର୍ବାର ନିଜର ଟ୍ରାକ୍‌କୁ ଫେରି ପାଇଥିଲେ।

Share