Categories: ଖେଳ

ପ୍ରଥମ ବୋଲର୍‌ ଭାବେ ଏମିତି କାରନାମା କଲେ ଜସପ୍ରୀତ ବୁମ୍‌ରା

ନୂଆଦିଲ୍ଲୀ,୧୨।୪: ଆଇପିଏଲ ୨୦୨୪ର ୨୫ତମ ଲିଗ ମ୍ୟାଚରେ ମୁମ୍ବାଇ ଆରସିବିକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ମୁମ୍ବାଇର ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରାଙ୍କ ବୋଲିଂ ଚମତ୍କାର ଥିଲା। ଏହି ମ୍ୟାଚରେ ବୁମରା ତାଙ୍କ ଦଳ ପାଇଁ ସର୍ବାଧିକ ୫ ଉଇକେଟ ନେଇଥିଲେ।
୫ ଉଇକେଟ୍‌ ନେଇ ବୁମ୍‌ରା ପୁଣି ଥରେ ନିଜ ବୋଲିଂ ସହିତ ପ୍ରମାଣିତ କଲେ ଯେ, ସେ କାହିଁକି ବିଶ୍ୱର ସର୍ବଶ୍ରେଷ୍ଠ ବୋଲର ଭାବେ ବିବେଚିତ ହୋଇଛନ୍ତି। ଏହି ମ୍ୟାଚ୍‌ରେ ବୁମ୍‌ରା ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଜିତିଥିଲେ।
ଆରସିବି ବିପକ୍ଷ ଏହି ମ୍ୟାଚରେ ବୁମରା ୪ ଓଭରରେ ୨୧ ରନ ଦେଇ ୫ ଉଇକେଟ ନେଇ ଥିଲେ। ସେ ବିରାଟ କୋହଲି, ଫାଫ ଡୁ ପ୍ଲେସିସ, ମହିପାଲ ଲୋମୋର, ସାୱାର ଚୌହାନ ଏବଂ ବିଜୟକୁମାରଙ୍କୁ ଆଉଟ୍‌ କରିଥିଲେ। ଆଇପିଏଲରେ ଏହା ପ୍ରଥମ ଥର ଥିଲା ଯେତେବେଳେ ଜଣେ ବୋଲର ଆରସିବି ବିପକ୍ଷରେ ପାଞ୍ଚ ଉଇକେଟ ନେଇଥିଲେ। ଏହାପୂର୍ବରୁ ଆରସିବି ବିପକ୍ଷରେ ଆଇପିଏଲରେ ଶ୍ରେଷ୍ଠ ବୋଲିଂର ରେକର୍ଡ ଆଶିଷ ନେହେରାଙ୍କ ନାମରେ ଥିଲା, ଯିଏକି ୨୦୧୫ରେ ସିଏସ୍‌କେ ପାଇଁ ଏହି ଦଳ ବିପକ୍ଷରେ ୧୦ ରନ ଦେଇ ୪ ଉଇକେଟ ନେଇଥିଲେ, କିନ୍ତୁ ବର୍ତ୍ତମାନ ନେହେରାଙ୍କ ରେକର୍ଡ ଭାଙ୍ଗିଯାଇଛି।
ବୁମ୍‌ରା ଦ୍ୱିତୀୟ ଥର ପାଇଁ ଆଇପିଏଲରେ ପାଞ୍ଚ ଉଇକେଟ ନେଇ ଏହି କୀର୍ତ୍ତିମାନ କରିଥିଲେ। ଏବଂ ଏହି ଲିଗରେ ଚତୁର୍ଥ ବୋଲର ହୋଇଥିଲେ। ଏହି ଲିଗରେ ଭୁବନେଶ୍ୱର କୁମାର, ଜୟଦେବ ଉନାଦକତ ଏବଂ ଜେମ୍ସ ଫାଲକନର୍‌ ବୁମରାଙ୍କ ପୂର୍ବରୁ ଦୁଇଥର ପାଞ୍ଚ ଉଇକେଟ ନେଇଛନ୍ତି।

ଆଇପିଏଲରେ ସର୍ବାଧିକ ୫ ଉଇକେଟ ନେଇଥିବା ବୋଲର

୨-ଜସପ୍ରୀତ ବୁମ୍‌ରା
୨ – ଭୁବନେଶ୍ୱର କୁମାର
୨ – ଜୟଦେବ ଉନାଦକତ୍‌
୨ – ଜେମ୍ସ ଫାଲକନର୍‌

ବୁମରା ଆରସିବି ବିପକ୍ଷରେ ୫ ଉଇକେଟ ନେଇଥିଲେ ଏବଂ ବର୍ତ୍ତମାନ ସେ ଏହି ଦଳ ବିପକ୍ଷରେ ସର୍ବାଧିକ ଉଇକେଟ ନେଇଥିବା ବୋଲର ତାଲିକାରେ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି। ବୁମରା ଆରସିବି ବିପକ୍ଷରେ ମୋଟ ୨୯ ଉଇକେଟ୍‌ ନେଇ ସନ୍ଦୀପ ଶର୍ମା ଏବଂ ରବିନ୍ଦ୍ର ଜାଡେଜାଙ୍କଠାରୁ ଆଗରେ ରହିଥିଲେ। ସନ୍ଦୀପ ଶର୍ମା ଏବଂ ଜାଡେଜା ଏହି ଦଳ ବିପକ୍ଷରେ ମୋଟ ୨୬ ଉଇକେଟ ନେଇଛନ୍ତି।

ଆଇପିଏଲରେ ଆରସିବି ବିପକ୍ଷରେ ସର୍ବାଧିକ ଉଇକେଟ୍‌ ନେଇଥିବା ବୋଲର

୨୯- ଜସପ୍ରୀତ ବୁମ୍‌ରା
୨୬ – ସନ୍ଦୀପ ଶର୍ମା
୨୬ – ରବିନ୍ଦ୍ର ଜାଡେଜା
୨୪ – ସୁନୀଲ ନାରିନ

Share