ଯବାନଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି,୨୭।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ମାଓବାଦୀମାନେ ପୁଣି ହିଂସା ଘଟାଇଛନ୍ତି। ଛତିଶଗଡ଼ର ବିଜାପୁର ଜିଲା ସି.ଏ.ଏଫ୍‌.-୨୨ ବାଟାଲିୟନର ଯବାନ ଅର୍ଜୁନ କୁଡିଆମିଙ୍କୁ ହତ୍ୟା କରିଛନ୍ତି। ଗତ କିଛି ଦିନ ହେବ ସେ ଅସୁସ୍ଥ ଥାଇ ନିଜ ଗ୍ରାମ ଧନେରାରେ ରହୁଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଘରୁ ସେ କରବା ଗ୍ରାମକୁ ଚିକିତ୍ସା ପାଇଁ ଯାଉଥିବା ବେଳେ କେତେଜଣ ମାଓବାଦୀ ତାଙ୍କୁ ଅପହରଣ କରି ପରେ ହତ୍ୟା କରିଥିଲେ। ଗାଙ୍ଗୁଲୁର ଏରିଆ କମିଟି ପକ୍ଷରୁ ଘଟଣାସ୍ଥଳରେ ଏକ ଚିଠି ଛଡାଯାଇଛି। ଅର୍ଜୁନ ମାଓବାଦୀ ସଙ୍ଗଠନକୁ କ୍ଷତି ପହଞ୍ଚାଇବା ସହ ଆଦିବାସୀଙ୍କୁ ଧମକ ଚମକ ଦେଇ ଲୁଟ୍‌ କରୁଥିବାରୁ ତାଙ୍କୁ ହତ୍ୟା କରାଗଲା ବୋଲି ଚିଠିରେ ଉଲ୍ଲେଖ ରହିଛି। ତେବେ ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଥିବା ବିଜାପୁର ଏସ୍‌ପି କମଳଲୋଚନ କଶ୍ୟପ ସୂଚନା ଦେଇଛନ୍ତି।