Advertisement

ଗନ୍ଧମାର୍ଦ୍ଧନରେ ଯବାନ-ମାଓବାଦୀ ଗୁଳି ବିନିମୟ: ୪ ମାଓବାଦୀ କ୍ୟାମ୍ପ ଠାବ

ବରଗଡ଼ ଅଫିସ,୯।୮: ବରଗଡ଼ ଜିଲା ପାଇକମାଳ ନିକଟ ଗନ୍ଧମାର୍ଦ୍ଧନ ସଂରକ୍ଷିତ ଜଙ୍ଗଲରେ ଶନିବାର ଯବାନ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି। ତେବେ ଏଥିରେ କେହି ମୃତାହତ ହୋଇଥିବା ଏଯାବତ୍‌ ଜଣାପଡି ନାହିଁ। ଅନ୍ୟପକ୍ଷରେ ଗନ୍ଧମାର୍ଦ୍ଧନରୁ ୪ଟି ମାଓବାଦୀ କ୍ୟାମ୍ପ ଠାବ ହେବା ସହିତ ଫୁଟା, ଅଫୁଟା ଗୁଳି, ମାଓବାଦୀଙ୍କ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି।
ରବିବାର ଜିଲା ପୋଲିସ ମୁଖ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ପଦ୍ମିନୀ ସାହୁ ଏ ନେଇ ସୂଚନା ଦେଇ କହିଛନ୍ତି, ଗନ୍ଧମାର୍ଦ୍ଧନରେ ୧୦ରୁ ୧୫ଜଣ ସଶସ୍ତ୍ର ମାଓବାଦୀ ରହିଥିବା ସମ୍ପର୍କରେ ସୂଚନା ମିଳିଥିଲା। ଏହାପରେ ଏସ୍‌ଓଜି ଏବଂ ସିଆରପିଏଫ ଯବାନମାନେ ସର୍ଚ୍ଚ ଅପରେଶନ ଚଳାଇଥିଲେ। ଯବାନମାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ। ଆତ୍ମସମର୍ପଣ ପାଇଁ ସେମାନଙ୍କୁ କୁହାଯାଇଥିଲା। ପରେ ମଧ୍ୟ ସେମାନେ ସେଥିରୁ ବିରତ ନ ହେବାରୁ ଆତ୍ମସୁରକ୍ଷା ପାଇଁ ଯବାନମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ ବୋଲି ଏସ୍‌ପି କହିଛନ୍ତି। ସେହିପରି ଗୁଳି ବିନିମୟରେ ଯବାନମାନେ ସୁରକ୍ଷିତ ଅଛନ୍ତି। ମାତ୍ର ମାଓବାଦୀମାନେ କେହି ମୃତାହତ ହୋଇଛନ୍ତି କି ନାହିଁ, ସେ ନେଇ ସର୍ଚ୍ଚ ଅପରେସନ ଚାଲିଛି ବୋଲି ଏସ୍‌ପି ସାହୁ ସୂଚନା ଦେଇଛନ୍ତି। ସମ୍ପୃକ୍ତ ମାଓବାଦୀମାନେ ବଲାଙ୍ଗୀର-ବରଗଡ-ମହାସମୁଦ ଡିଭିଜନର ଏବଂ ସେମାନଙ୍କ ମଧ୍ୟରେ କ୍ୟାଡର ମାଓବାଦୀମାନେ ମଧ୍ୟ ରହିଥିବା ଅନୁମାନ କରାଯାଉଛି ବୋଲି ଏସ୍‌ପି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share