Categories: ଜାତୀୟ

ସହକର୍ମୀଙ୍କୁ ଗୁଳିକରି ଯବାନଙ୍କ ଆତ୍ମହତ୍ୟା

କୋଲକାତା,୭।୩ (ପି.ଟି.): ପଶ୍ଚିମବଙ୍ଗର ମୁର୍ଶିଦାବାଦ ସହରରେ ଥିତ୍ବା ଏକ ବିଏସ୍‌ଏଫ୍‌ କ୍ୟାମ୍ପରେ ସୋମବାର ସକାଳେ ଅଭାବନୀୟ ଘଟଣା ଘଟିଛି। ଜଣେ ବିଏସ୍‌ଏଫ୍‌ ଯବାନ ତାଙ୍କ ସହକର୍ମୀଙ୍କୁ ହତ୍ୟା କରିବା ପରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ଭାରତ-ବାଂଲାଦେଶ ସୀମାନ୍ତବର୍ତ୍ତୀ କାକମାରିଚର ସୀମା ସୁରକ୍ଷା ବଳ କ୍ୟାମ୍ପ୍‌ରେ ସକାଳ ୬ଟା ୪୫ରେ ଏହି ଘଟଣା ଘଟିଛି। ହେଡ୍‌ କନ୍‌ଷ୍ଟେବଲ ଜନସନ ଟପ୍ପୋ ନିଜ ସର୍ଭିସ ରାଇଫଲରେ ସହକର୍ମୀ ଏସ୍‌.ଜି. ଶେଖରଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ଉଭୟ ବିଏସ୍‌ଏଫ୍‌ର ୧୧୭ତମ ବାଟାଲିୟନରେ ପୋଷ୍ଟିଂ ହୋଇଥିଲେ। ସୀମାରେ ରାତି ଡ୍ୟୁଟି ସାରି ଫେରିବା ପରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ପୋଲିସ କହିବା ଅନୁଯାୟୀ ଗତବର୍ଷ ସୀମାରେ ଉଭୟ ଯବାନ ଜଣେ ଚାଷୀଙ୍କୁ ଅଟକାଇଥିଲେ। ଏହି ମାମଲାରେ ସୋମବାର ୧୦ଟାରେ ରାମନଗର ଥାନାରେ ହାଜର ହେବା ଲାଗି ସ୍ଥାନୀୟ ପୋଲିସ ସେମାନଙ୍କୁ ସମନ କରିଥିଲା। ଏହାକୁ ନେଇ ବଚସାରୁ ଟପ୍ପୋ ଶେଖରଙ୍କୁ ଗୁଳି କରିଥିବା କୁହାଯାଉଛି। ତେବେ ଗୁଳିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ବିଏସ୍‌ଏଫ୍‌ ପକ୍ଷରୁ କୋର୍ଟ ଅଫ୍‌ ଇନ୍‌କ୍ୱାରି ନିର୍ଦ୍ଦେଶ ଦିଆଯାଇଛି। ପୋଲିସ ମଧ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Share