ଟ୍ରକ ତଳେ ଚାପି ହୋଇ ଚାଲିଗଲା ଯବାନଙ୍କ ଜୀବନ

ଜମନକିରା,୨୦।୮: ( ରବୀନ୍ଦ୍ର ପ୍ରସାଦ ଦାନୀ) ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ଭାରତୀୟ ସେନାରେ ୩୦ବର୍ଷ କାଳ ସେବା କରି ସୁନାମ ଅର୍ଜନ କରିଥିଲେ। ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନିତ ମଧ୍ୟ ହୋଇଥିଲେ। ଅବସର ନେବା ପରେ ଅନେକ ଅନୁଷ୍ଠାନରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ହେଉଛନ୍ତି ଜମନକିରା ରାଧାକୃଷ୍ଣପଡ଼ାର ବିରେନ୍ଦ୍ର ନାଥ କାରୱାର(୮୨)। କିଏ ଜାଣିଥିଲା ଜୀବନ ଯୁଦ୍ଧରେ ଏପରି ହାରିଯିବେ।

ସୂଚନାଯୋଗ୍ୟ, ରବିବାର ୫୩ ନମ୍ବର ଜାତୀୟ ରାଜପଥ ଦଶଘରିଆ ଠାରେ ସକାଳ ପ୍ରାୟ ସାଢ଼େ ୯ଟା ସମୟ ପାଖାପାଖି, ବିରେନ୍ଦ୍ରନାଥ ସ୍କୁଟି(ଓଡ଼ି ୧୫ଏମ ୭୧୦୯)ରେ ଥାନା ନିକଟସ୍ଥ ଜାତୀୟ ରାଜପଥ ୫୩ରେ ନିଜ ସ୍କୁଟି ଧରି ଯାଉଥିଲେ। ଏହି ସମୟରେ ଏକ ଟ୍ରକ (ଏନଏଲ ୦୧ ଏଡି ୨୪୨୪) ସମ୍ବଲପୁର ପଟୁ ଦେବଗଡ଼ ଆଡକୁ ଯାଉଥିବା ବେଳେ ଛକ ଠାରେ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ବିରେନ୍ଦ୍ରଙ୍କ ମୁଣ୍ଡରେ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହେବାରୁ ଜମନକିରା ପୋଲିସ ତାଙ୍କୁ ପୋଲିସ ଗାଡ଼ିରେ କୁଚିଣ୍ଡା ଡାକ୍ତରଖାନାକୁ ନେଇଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି। ବିରେନ୍ଦ୍ରଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତରିତ କରାଯିବ ବୋଲି କହିଛି।

ଉଲ୍ଲେଖଯୋଗ୍ୟ, ଚଳିତ ସାଧୀନତା ଦିବସ ଅବସରରେ କୁଚିଣ୍ଡା ବିଧାୟକ କିଶୋର ନାଏକ ବିରେନ୍ଦ୍ରଙ୍କୁ ସମ୍ମାନିତ କରିଥିଲେ। ତାଙ୍କ ସାନ ପୁଅ ମଧ୍ୟ ଭାରତୀୟ ସେନାରେ କାର୍ଯ୍ୟରତ ଅଛନ୍ତି। ବିରେନ୍ଦ୍ରେଙ୍କ ମୃତ୍ୟୁରେ ଜମନକିରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ଅତ୍ୟନ୍ତ ମେଳାପି ଓ ସହୃଦୟ ବ୍ୟକ୍ତି ଥିଲେ। ତାଙ୍କର ଧର୍ମପତ୍ନୀ କିଛି ବର୍ଷ ପୂର୍ବେ ଦେହାନ୍ତ ହୋଇଥିଲା। ପରିବାର କହିଲେ ଦୁଇଟି ଝିଅ ଓ ଦୁଇଟି ପୁଅ। ଏନେଇ ଜମନକିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରୁଥିବା ପୋଲିସ କହିଛି।

Share