ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ

ମାଲକାନଗିରି,୧୦ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସଦର ବ୍ଲକ ଚମ୍ପାଖାରି ଘାଟି ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ହୋଇଛନ୍ତି।

ସୂଚନାନୁଯାୟୀ, ମାଲକାନଗିରି ସଦରମହକୁମା ରିଜର୍ଭ ପୋଲିସରେ କାର୍ଯ୍ୟରତ ଡିବିଏଫ୍‌ ଯବାନ ବିଶ୍ୱନାଥ ମାଡକାମୀ ନିଜର କାର୍ଯ୍ୟ ସାରି ପଦରାପାଲ୍ଲୀସ୍ଥିତ ଘରକୁ ଫେରୁଥିବା ବେଳେ କୋତାମେଟାଠାରୁ ମାଲକାନଗିରି ଅଭିମୁଖେ କୋତାମେଟା ଗ୍ରାମର ୩ ଜଣ ସୁନାଧର କୋପେ, ବଳରାମ ପୂଜାରୀ ଓ ବଳ ପୁଟିଆ ଆସୁଥିଲୋ ତେବେ ଚମ୍ପାଖାରୀ ଗ୍ରାମ ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ୪ ଜଣ ଯାକ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡିବିଏଫ୍‌ ଯବାନ ବିଶ୍ୱନାଥଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ତେବେ ଆହତ ତିନିଜଣଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଉକ୍ତ ଦୁଇଜଣଙ୍କୁ କୋରାପୁଟ ସ୍ଥାନନ୍ତର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମାଲକାନଗିରି ଏସ୍‌ପି. ନିତିଶ୍‌ ବାଧ୍ୱାନୀ ମଧ୍ୟ ଚିକିତ୍ସାଳୟରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

Share