Categories: ଜାତୀୟ

ଯବାନଙ୍କ ସ୍ତ୍ରୀଙ୍କୁ ୪୦ ଜଣଙ୍କ ଆକ୍ରମଣ

ଚେନ୍ନାଇ, ୧୨ା୬ : ତାମିଲନାଡୁର ଥିରୁଭାନ୍ନମଲାଇ ଜିଲାରେ ଜଣେ ସେନା ଯବାନଙ୍କ ସ୍ତ୍ରୀଙ୍କୁ ପ୍ରାୟ ୪୦ ଜଣ ଲୋକ ଆକ୍ରମଣ କରିବା ସହ ଅର୍ଦ୍ଧଉଲଗ୍ନ କରିଦେଇଥିବା ଅଭିଯୋଗ ହୋଇଛି। ଆକ୍ରମଣକାରୀମାନେ ମହିଳାଙ୍କ ଛାତି ଓ ତଳିପେଟକୁ ଗୋଇଠା ମାରିବା ସହ ତାଙ୍କ ମଙ୍ଗଳସୂତ୍ର ଓ ଫୋନ୍‌ ଛିଡ଼ାଇ ନେଇଛନ୍ତି। ସେନା ହାବିଲଦାର ପ୍ରଭାକରନ୍‌ଙ୍କ ସ୍ତ୍ରୀ କୀର୍ଥତ୍ (୨୮) ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅଭିଯୋଗ ଅନୁଯାୟୀ ଶନିବାର ୪୦ ଜଣ ଲୋକ କୀର୍ଥତ୍ଙ୍କ ଦୋକାନରେ ପଶି ତାଙ୍କୁ ଜାଗା ଖାଲି କରିବା ପାଇଁ ତାଗିଦ କରିଥିଲେ। ସେମାନେ କୀର୍ଥତ୍ଙ୍କୁ ଦୋକାନ ବାହାରକୁ ଟାଣିନେଇ ମାଡ଼ ମାରିଥିଲେ। ପୋଲିସ କହିବା ଅନୁଯାୟୀ ପ୍ରଭାକରଙ୍କ ଶ୍ୱଶୁର ଉକ୍ତ ଦୋକାନକୁ ରାମୁ ନାମକ ବ୍ୟକ୍ତିଙ୍କ ବାପାଙ୍କଠାରୁ ଲିଜ୍‌ରେ ନେଇଥିଲେ। ଟଙ୍କା ଦେଇ ଦୋକାନକୁ ଫେରାଇ ନେବା ପାଇଁ ରାମୁ ଶନିବାର ଯାଇଥିବାବେଳେ କୀର୍ଥତ୍ଙ୍କ ଭାଇମାନେ ତାଙ୍କୁ ମାଡ଼ ମାରିଥିଲେ। ସେଠାରେ ଉପସ୍ଥିତ ଥିବା ଲୋକେ ରାମୁଙ୍କ ସମର୍ଥନରେ ଆସି ଦୋକାନରୁ ଜିନିଷ ବାହାରକୁ ଫିଙ୍ଗିବାରୁ ମାଡ଼ପିଟ୍‌ ହୋଇଥିଲା। ତେବେ କୀର୍ଥତ୍ଙ୍କ ଉପରେ ଆକ୍ରମଣକୁ ପୋଲିସ ଖଣ୍ଡନ କରିଛି।

Share