କଙ୍ଗନାଙ୍କ ପ୍ରଶଂସାକୁ ଗୁରୁତ୍ୱ ଦେଉନାହାନ୍ତି ଜାଭେଦ ଅଖତର

ନିକଟରେ କବି ଓ ଗୀତିକାର ଜାଭେଦ ଅଖତର ପାକିସ୍ତାନ ଯାଇ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ଦୃଢ ନିନ୍ଦା କରିଥିଲେ। ଜାଭେଦଙ୍କ ଏହି ବିବୃତ୍ତିକୁ ସମଗ୍ର ଦେଶ ପ୍ରଶଂସା କରିଥିଲା, ଏପରିକି ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ତାଙ୍କୁ ପ୍ରଶଂସା କରି କହିଥିଲେ, ଘରେ ପଶି ମାରିଛନ୍ତି। ଜାଭେଦ ଅଖତର କିନ୍ତୁ କଙ୍ଗନା କିମ୍ବା ତାଙ୍କର ପ୍ରଶଂସାକୁ କୌଣସି ଗୁରୁତ୍ୱ ନ ଦେବା ପାଇଁ କହିଛନ୍ତି।
ଏକ ସାକ୍ଷାତକାରରେ ଜାଭେଦଙ୍କୁ ପାକିସ୍ତାନ ଉପରେ ଦେଇଥିବା ବିବୃତ୍ତିକୁ କଙ୍ଗନା ପ୍ରଶଂସା କରିଥିବା କୁହାଯାଇଥିଲା। ଏହାର ଜବାବରେ ଜାଭେଦ କହିଛନ୍ତି, ମୁଁ କଙ୍ଗନାକୁ ଗୁରୁତ୍ୱପୂର୍ଣ୍ଣ ମନେକରେ ନାହିଁ, ତେଣୁ ସେ କିପରି ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇପାରିବେ। ତାଙ୍କ ବିଷୟରେ ଭୁଲିଯାଅ। ଆଗକୁ ବଢନ୍ତୁ।
ନିକଟରେ ଲାହୋରରେ ଉର୍ଦ୍ଦୁ କବି ଫଏଜ ଅହମଦ ଫଏଜଙ୍କ ସ୍ମୃତିରେ ଆୟୋଜିତ ସପ୍ତମ ଫଏଜ ଉତ୍ସବରେ ଯୋଗ ଦେଇ ଜାଭେଦ ଅଖତର କହିଥିଲେ, ଆମେ ପରସ୍ପରକୁ ଦୋଷ ଦେବା ଉଚିତ ନୁହେଁ, କାରଣ ଏହାଦ୍ୱାରା ସମସ୍ୟାର ସମାଧାନ ହେବ ନାହିଁ। ଉତ୍ତେଜନାପୂର୍ଣ୍ଣ ବାତାବରଣକୁ ଶୀତଳ କରିବାକୁ ହେବ ବୋଲି ୭୮ ବର୍ଷୀୟ ଗୀତିକାର କହିଥିଲେ। ମୁମ୍ବାଇରେ ଆକ୍ରମଣ କରିବାକୁ ନରଓ୍ବେ କିମ୍ବା ଇଜିପ୍ଟରୁ ଆକ୍ରମଣକାରୀ ଆସି ନ ଥିଲେ। ସେମାନେ ଆପଣମାନଙ୍କ ଦେଶରେ ମୁକ୍ତରେ ବୁଲୁଛନ୍ତି। ଯଦି ଜଣେ ହିନ୍ଦୁସ୍ତାନୀଙ୍କ ହୃଦୟରେ ଆପତ୍ତି ରହିଛି, ତେବେ ସେଥିରେ ଆପଣମାନେ ଅପମାନିତ ଅନୁଭବ କରିବା ଉଚିତ ନୁହେଁ। ନୁସରତ ଫତେହ ଅଲି ଖାନ, ମେହଦି ହାସନଙ୍କ ଭଳି ପାକିସ୍ତାନ କଳାକାରଙ୍କୁ ଭାରତରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଉଛି। ହେଲେ ପାକିସ୍ତାନ ଲତା ମଙ୍ଗେସ୍‌କରଙ୍କ ପାଇଁ କେବେ କୌଣସି ଶୋ’ ଆୟୋଜନ କରିନାହିଁ ବୋଲି ଅଖତର କହିଥିଲେ।

Share