ବଠିଣ୍ଡା, ୧୮।୪: ପଞ୍ଜାବ ବଠିଣ୍ଡାସ୍ଥିତ ମିଲିଟାରି ଷ୍ଟେଶନ୍ରେ ବୁଧବାର ୪ ସେନା ଅଧିକାରୀଙ୍କୁ ଗୁଳିକରି ହତ୍ୟା ଘଟଣାରେ ଜଣେ ଯବାନ୍ଙ୍କୁ ପୋଲିସ ଗିରଫ କରିଛି। ହତ୍ୟା କରିବା ଲାଗି ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲେ ଅଭିଯୁକ୍ତ ଗନର ଦେଶାଇ ମୋହନ। ଏଥିପାଇଁ ସେ ଏପ୍ରିଲ ୧୨ରେ ଆଇଏନ୍ଏସ୍ଏଏସ୍ ରାଇଫଲ୍ ଚୋରି କରିଥିଲେ। ବୁଧବାର ଦିନ ଭୋର୍ ପ୍ରାୟ ସାଢ଼େ ୪ଟାବେଳେ ମୋହନ ଚୋରି ରାଇଫଲ୍ରୁ ଗୁଳିକରି ସାଗର ବନେ, ୟୋଗେଶ୍ କୁମାର ଜେ, ସନ୍ତୋଷ ଏମ୍. ନାଗରାଲ୍ ଏବଂ କମଲେଶ ଆର୍.ଙ୍କୁ ହତ୍ୟା କରିଥିଲେ। ମୋହନଙ୍କୁ ଉକ୍ତ ୪ ଅଧିକାରୀ ଶାରୀରିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷେ ବ୍ୟକ୍ତିଗତ ଶତ୍ରୁତାକୁ କେନ୍ଦ୍ରକରି ଅଭିଯୁକ୍ତ ଏହି ଜଘନ୍ୟ ହତ୍ୟାକାଣ୍ଡ ଭିଆଇଥିବା ବଠିଣ୍ଡା ଏସ୍ଏସ୍ପି ଗୁଲନୀତ ସିଂ ଖୁରାନା କହିଛନ୍ତି। ତଦନ୍ତକୁ ବାଟବଣା କରିବା ପାଇଁ ଘଟଣା ଦିନ କୁର୍ତ୍ତା ଓ ପାଇଜାମା ପିନ୍ଧା ୨ ଯୁବକ ମିଲିଟାରି ବେସ୍ ଉପରେ ଫାୟାରିଂ କରିଥିବାର ଦେଖିଥିବା ମୋହନ ପୋଲିସକୁ କହିଥିଲେ।