Advertisement

ସୁଡ୍ରା ଜଙ୍ଗଲରେ ଯବାନ-ମାଓବାଦୀ ଗୁଳି ବିନିମୟ, ଡିଭିଏଫ ଯବାନ ଆହତ, ମାଓବାଦୀ ଗୁରୁତର

ଫୁଲବାଣୀ,୩ା୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ଅଞ୍ଚଳରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଡିଭିଏଫ୍‌ ଯବାନ ଆହତ ହୋଇଛନ୍ତି। ସେହିପରି ଜଣେ ମାଓବାଦୀ ଗୁରତର ଆହତ ହୋଇଥିବା ଅନୁମାନ କରାଯାଉଛି। ତେବେ ଏ ନେଇ ନିର୍ଦ୍ଦିଷ୍ଟ ଭାବେ କିଛି ସୂଚନା ମିଳି ନ ଥିବା କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି।

ଏସ୍‌ପିଙ୍କ ସୂଚନା ଅନୁସାରେ, ଶନିବାର ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ନିକଟବର୍ତ୍ତୀ କାମେରିକିଆ ଜଙ୍ଗଲରେ ପୋଲିସ ଓ ସୁରକ୍ଷା ବାହିନୀର ମିଳିତ କୋମ୍ବିଂ ଅପରେଶନ ଚାଲିଥିଲା। ସନ୍ଧ୍ୟା ପ୍ରାୟ ୭ଟାରେ ମାଓବାଦୀମାନଙ୍କ ସହିତ ମୁହାଁମୁହିଁ ହୋଇଥିଲେ। ମାଓବାଦୀ ପୋଲିସ ଉପରକୁ ଗୁଳି ଚଳାଇବାରୁ ସୁରକ୍ଷା ବାହିନୀ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଏହି ଅପରେଶନ ସମୟରେ ଜଣେ ଡିଭିଏଫ ଯବାନ ଗୁରୁତର ହୋଇଛନ୍ତି। ତାଙ୍କୁ ବାଲିଗୁଡା ଡାକ୍ତରଖାନାରେ ଚିକିତ୍ସା କରାଯିବା ପରେ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷରେ ଏହି ଘଟଣାରେ ଜଣେ ମାଓବାଦୀ ଗୁରୁତର ହୋଇଥିବା ଅନୁମାନ କରାଯାଉଛି।

ଖବର ଲେଖାଯିବା ପର୍ଯ୍ୟନ୍ତ କୋମ୍ବିଂ ଜାରି ରହିଥିବା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନ ମଧ୍ୟରେ ଜିଲାର ବିଭିନ୍ନ ସ୍ଥାନରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୋଚ୍ଛାପଡା ଥାନା ଅଞ୍ଚଳରେ ଦୁଇଥର ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ସେହିଭଳି ତୁମୁଡ଼ିବନ୍ଧର ସିର୍ଲା ଜଙ୍ଗଲରେ ଗୁଳି ବିନିମୟ ବେଳେ ଜଣେ ଯବାନ ଗୁରୁତର ହୋଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share