ଫଟୋଗ୍ରାଫରଙ୍କୁ ଦେଖି ରାଗିଲେ ଜୟା, ଚୁପ୍‌ ରହିବାକୁ ଦେଲେ ଇସାରା

ମୁମ୍ବାଇ: ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଅଭିନୀତ ‘ଉଞ୍ଚାଇ’ ନଭେମ୍ବର ୧୧ରେ ହଲ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମରେ ‘ବିଗ ବି’ଙ୍କ ବ୍ୟତୀତ ଅନୁପମ ଖେର, ବୋମନ ଇରାନୀ, ଡାନି ଡେଞ୍ଜୋଙ୍ଗପା, ନୀନା ଗୁପ୍ତା ଏବଂ ପରୀଣତି ଚୋପ୍ରା ପ୍ରମୁଖ ଭୂମିକାରେ ନଜର ଆସିବେ। ଫିଲ୍ମ ରିଲିଜ ପୂର୍ବରୁ ମଧ୍ୟ ‘ଉଞ୍ଚାଇ’ର ଏକ ସ୍ବତନ୍ତ୍ର ସ୍କ୍ରିନିଂ ଆୟୋଜନ କରାଯାଇଛି। ଏଠାରେ ବଲିଉଡ୍‌ର ଅନେକ ଷ୍ଟାର ପହଞ୍ଚିଥିଲେ। ଏହି ସମୟରେ ବିଗ୍‌ ବିଙ୍କର ପରିବାର ସଦସ୍ୟ ମଧ୍ୟ ପହଞ୍ଚିଥିଲେ। ସ୍ତ୍ରୀ ଜୟା ବଚ୍ଚନ ଏବଂ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ପହଞ୍ଚିଥିଲେ। ଏହି ସମୟର ଜୟାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଳରେ ପୁଣି ଥରେ ଜୟା ଚର୍ଚ୍ଚାକୁ ଆସିଛନ୍ତି।

ଜୟା ଏବଂ ଅଭିଷେକଙ୍କୁ ଯେତେବେଳେ ରେଡ୍‌ କାର୍ପେଟରେ ଦେଖିଥଲେ, ସେତେବେଳେ ଫଟୋଗ୍ରାଫରମାନେ ବହୁତ ଖୁସି ହୋଇଯାଇଥିଲେ। ସବୁଥର ପରି ଜୟାଙ୍କୁ ନିଜ କ୍ୟାମେରାରେ କ୍ୟାପଚର ପାଇଁ ସେ ତାଙ୍କୁ ପୋଜ୍‌ ଦେବାକୁ କହିଥିଲେ। ଏହାକୁ ନେଇ ଜୟା ଫଟୋଗ୍ରାଫରଙ୍କୁ ନିଜ ଶୈଳୀରେ ଚୁପ୍‌ ରହିବାକୁ କହିଥିଲେ। ଜୟା ପାଟିରେ ଆଙ୍ଗୁଠି ରଖି ନୀରବତାକୁ ସୂଚାଇ ଆଗକୁ ଚାଲିଲେ। ପରେ ସେ ବହୁତ ହସୁଥିଲେ। ଅନୁପମ ଖେର ଏବଂ ଅନ୍ୟମାନଙ୍କୁ ବି ଭେଟୁଥିଲେ।

ଜୟା ଏବଂ ଅଭିଷେକଙ୍କ ବ୍ୟତୀତ କଙ୍ଗନା ରାଣାଓ୍ବତ, ଅକ୍ଷୟ କୁମାର, ସଲମାନ ଖାନ୍‌, କାଜୋଲ, ଶେହନାଜ ଗିଲ୍‌, ରାଣୀ ମୁଖାର୍ଜୀ ମଧ୍ୟ ଏହି ସ୍କ୍ରିନିଂରେ ଯୋଗ ଦେଇଥିଲେ।

Share