କୋଲକାତା,୩୦ା୧୦:ଆଧ୍ୟାତ୍ମିକ ବକ୍ତା ଜୟା କିଶୋରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କୁ ‘ଡିଓର’ ବ୍ରାଣ୍ଡର ଏକ ଦାମୀ ଡିଜାଇନର ଲେଦର ବ୍ୟାଗ୍ ସହ ଦେଖିବାକୁ ମିଳିଥିଲା। ଉକ୍ତ ବ୍ୟାଗ୍ଟି ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ହୋଇଥିବା ସହ ଏହା ପଶୁ ଚମଡ଼ାରେ ନିର୍ମିତ ହୋଇଥିବା ଦର୍ଶାଇ ବହୁ ୟୁଜର୍ସ ସୋସିଆଲ ମିଡିଆରେ ଜୟାଙ୍କୁ ଟ୍ରୋଲ୍ କରିଥିଲେ। ମଙ୍ଗଳବାର ଏନେଇ ଏକ ଗଣମାଧ୍ୟମକୁ ସାକ୍ଷାତ୍କାର ଦେଇ ଜୟା ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସବୁବେଳେ ସନାତନ ଧର୍ମକୁ ଟାର୍ଗେଟ କରାଯାଇଥାଏ। ଏଥର ମଧ୍ୟ ଠିକ୍ ସେପରି ହୋଇଛି। ଭାଇରାଲ ଭିଡିଓରେ ତାଙ୍କ ସହ ଥିବା ବ୍ୟାଗ୍ଟି ଲେଦର ମ୍ୟାଟେରିଆଲର ନୁହେଁ। ଏହା ଏକ କଷ୍ଟମାଇଜଡ୍ ବ୍ୟାଗ୍। ସେ କେବେ ମଧ୍ୟ ଲେଦର ମ୍ୟାଟେରିଆଲର କୌଣସି ବସ୍ତୁକୁ ବ୍ୟବହାର କରନ୍ତି ନାହିଁ ବୋଲି ଜୟା କହିଛନ୍ତି। ଜୟା ଆହୁରି କହିଛନ୍ତି, ସେ କୌଣସି ସାଧ୍ୱୀ ନୁହନ୍ତି। ଅନ୍ୟମାନଙ୍କ ପରି ସେ ମଧ୍ୟ ଜଣେ ସାଧାରଣ ଝିଅ। ସେ ନିଜ ପରିବାର ସହ ରୁହନ୍ତି। ଯେତେବେଳେ କୌଣସି ଜିନିଷ ବା ବସ୍ତୁ ପସନ୍ଦ ଆସିଥାଏ, ଅନ୍ୟମାନଙ୍କ ପରି ସେ ମଧ୍ୟ ତାହା କିଣିବାକୁ ଚାହିଥାନ୍ତି। ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ତାଙ୍କୁ ଶୁଣିବାକୁ ଆସୁଥିବା ଦର୍ଶକଙ୍କୁ ସବୁକିଛି ତ୍ୟାଗ କରିବାକୁ ସେ କେବେ ମଧ୍ୟ କୁହନ୍ତି ନାହିଁ। ବରଂ ଯୁବପିଢ଼ିଙ୍କୁ କଠିନ ପରିଶ୍ରମ କରିବା ସହ ରୋଜଗାର କରି ନିଜର ସ୍ବପ୍ନ ପୂରଣ କରିବାକୁ ସେ ସବୁବେଳେ ପ୍ରୋତ୍ସାହିତ କରିଥାନ୍ତି ବୋଲି ଜୟା ଏହି ସାକ୍ଷାତ୍କାରରେ କହିଛନ୍ତି।