ଜୟନ୍ତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାର ଲାଗି ମନୋନୀତ

ବ୍ରହ୍ମପୁର ଅଫିସ,୩୦।୧୨:ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଚଳିତ ବର୍ଷ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାର ନିମନ୍ତେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ଜୟନ୍ତ ମହାପାତ୍ରଙ୍କୁ ମନୋନୀତ କରାଯାଇଛି। ଜାନୁୟାରୀ ୨ରେ ବିଶ୍ୱବିଦ୍ୟାଳୟର ୫୭ ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦରେ ତାଙ୍କୁ ମାନପତ୍ର, ଉପଢ଼ୌକନ ସହ ୧ ଲକ୍ଷ ଟଙ୍କା ଦିଆଯିବ। ଏହା ସହ ଦକ୍ଷିଣ ଓଡ଼ିଶା ଲୋକ ସଂସ୍କୃତି ସମ୍ମାନ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନି, ଅଙ୍ଗବସ୍ତ୍ର ସମ୍ମାନ ନିମନ୍ତେ ସଂସ୍କୃତି ପ୍ରେମୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ନାଟ୍ୟକାର ମେଜର ରମାରମଣ ପାଢ଼ୀ, ପ୍ରାକ୍ତନ ବିଦ୍ୱାନ ଛାତ୍ରୀଭାବେ କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତଙ୍କୁ ମନୋନୀତ କରାଯାଇଛି। ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ଗୁରୁବାର ଏହା ଜଣାଇଛନ୍ତି।
ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଦକ୍ଷତା ବିକାଶ ମିଶନ ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ୨୦୧୫ରୁ ପ୍ରତିବର୍ଷ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସ୍ମୃତିରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜଣେ ସାହିତି୍ୟକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି।

Share