Categories: ଖେଳ

ଜୟରାମ, ସବିତାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୪।୨(କ୍ରୀଡ଼ା ପ୍ରତିନିଧି): ମଧ୍ୟପ୍ରଦେଶର ବିଭିନ୍ନ ସହରରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ଆଥଲେଟିକ୍ସ ଇଭେଣ୍ଟ ଶୁକ୍ରବାର ଆରମ୍ଭ ହୋଇଛି। ଏହା ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଥଲେଟିକ୍ସ ଇଭେଣ୍ଟର ପ୍ରଥମ ଦିବସରେ ଓଡ଼ିଶାକୁ ୨ଟି ସ୍ବର୍ଣ୍ଣ ପଦକ ମିଳିଛି। ବାଳକ ୧୦୦ ମିଟର ଇଭେଣ୍ଟରେ ଡି.ଏମ. ଜୟରାମ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। କେବଳ ସେତିକି ନୁହେଁ ସେ ୧୦.୫୩ ସେକେଣ୍ଡ ସମୟ ନେଇ ନୂଆ ଜାତୀୟ ରେକର୍ଡର ମଧ୍ୟ ଅଧିକାରୀ ହୋଇଛନ୍ତି। ପୂର୍ବରୁ ୧୦୦ ମିଟର ଜାତୀୟ ରେକର୍ଡ ରିତିକ୍‌ ମଲିକଙ୍କ ନାମରେ ଥିଲା। ୨୦୧୯ରେ ସେ ୧୦.୬୫ ସେକେଣ୍ଡ ସମୟ ନେଇ ଏପର୍ଯ୍ୟନ୍ତ ରେକର୍ଡର ଅଧିକାରୀ ଥିଲେ। ଓଡ଼ିଶା ପାଇଁ ଦ୍ୱିତୀୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ସବିତା ଟପ୍ପୋ। ସେ ବାଳିକା ଲଙ୍ଗଜମ୍ପ ଇଭେଣ୍ଟରୁ ଏହି ସଫଳତା ପାଇଛନ୍ତି। ସବିତା ୫.୭୩ ମିଟର କ୍ଲିୟର କରି ପ୍ରଥମସ୍ଥାନ ଅଧିକାର କରିଛନ୍ତି। ଓଡ଼ିଶା ଆଥଲେଟିକ୍‌ ଆସୋସିଏଶନ ସମ୍ପାଦକ ଆଶୀର୍ବାଦ ବେହେରା, ସଭାପତି ଜି.ଏସ୍‌. ପଟ୍ଟନାୟକ ପଦକ ବିଜେତା ଦୁଇ ଆଥଲେଟ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share