Categories: ଜାତୀୟ

ନେହେରୁ ମେମୋରିଆଲର ନାମ ପରିବର୍ତ୍ତନକୁ ନେଇ ଜୟରାମ ରମେଶଙ୍କ ପ୍ରତିକ୍ରିୟା, ମୋଦି ସରକାର ବିରୋଧରେ କଲେ ଅଭିଯୋଗ…

ନୂଆଦିଲ୍ଲୀ,୧୬।୮ : ନେହେରୁ ମେମୋରିଆଲ ସଂଗ୍ରହାଳୟ ଏବଂ ଲାଇବ୍ରେରୀର ନାମ ପରିବର୍ତ୍ତନକୁ ନେଇ କଂଗ୍ରେସ ସହମହା ସଚିବ ତଥା ଦଳର ଯୋଗାଯୋଗ ମୁଖ୍ୟ ଜୟରାମ ରମେଶ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏହା ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ନେହେରୁଙ୍କ ଉତ୍ତରାଧିକାରୀତ୍ୱ ନଷ୍ଟ କରିଥିବା ଅଭିଯୋଗ ଆଣିଛନ୍ତି।

ଜୟରାମ ରମେଶ କହିଛନ୍ତି, ଆଜି ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଏକ ନୂତନ ନାମ ପାଇଛି। ବିଶ୍ୱ ପ୍ରସିଦ୍ଧ ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ ଭାବେ ପରିଚିତ ହେବ। ଆମର ପ୍ରଥମ ତଥା ଦୀର୍ଘତମ ସେବା କରିଥିବା ପ୍ରଧାନମନ୍ତ୍ରୀଙ୍କ କଥା ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନରେ ଭୟ ଏବଂ ଅସୁରକ୍ଷିତ ଭାବନା ସୃଷ୍ଟି ହୋଇଛି। ତେଣୁ ସେ ଏଭଳି କରିଛନ୍ତି।

ନେହେରୁ ଏବଂ ତାଙ୍କର ଉତ୍ତରାଧିକାରୀତ୍ୱକୁ ଅସ୍ବୀକାର କରିବା, ବଦନାମ କରିବା ଏବଂ ନଷ୍ଟ କରିବା ହେଉଛି ସେମାନଙ୍କର ଏକମାତ୍ର ଏଜେଣ୍ଡା ବୋଲି ରମେଶ ମୋଦି ସରକାରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସେ ଏନ ଶବ୍ଦକୁ ହଟାଇ ପି ଶବ୍ଦ କରିଛନ୍ତି।ଦେଶର ଗଣତାନ୍ତ୍ରିକ, ଧର୍ମନିରପେକ୍ଷ, ବୈଜ୍ଞାନିକ ଏବଂ ଉଦାରବାଦୀ ଭିତ୍ତିପ୍ରସ୍ତର ସ୍ଥାପନ କରିବାରେ ନେହେରୁଙ୍କ ଅବଦାନକୁ ଆମେ ଭୁଲିଯିବା ନାହିଁ। ଦେଶର ସ୍ବାଧୀନତା ପାଇଁ ନେହେରୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଛନ୍ତି।

ବର୍ତ୍ତମାନ ସବୁକିଛି ମୋଦି ଏବଂ ତାଙ୍କ ସହ କାମ କରୁଥିବା ଲୋକଙ୍କ ହାତରେ ଅଛି। ଏସବୁ ସତ୍ତ୍ୱେ ଜବାହରଲାଲ ନେହେରୁଙ୍କ ଉତ୍ତରାଧିକାରୀତ୍ୱ ବିଶ୍ୱ ଦେଖିବା ପାଇଁ ବଞ୍ଚିବ ଏବଂ ଭବିଷ୍ୟତ ପିଢ଼ିଙ୍କୁ ପ୍ରେରଣା ଯୋଗାଇବ।

ବ୍ରିଟିଶ ଶାସନ କାଳରେ ଭାରତର କମାଣ୍ଡର-ଇନ-ଚିଫଙ୍କ ସରକାରୀ ବାସଭବନ ଥିଲା ଏଡୱିନ ଲୁଟିନ୍ସଙ୍କ ଇମ୍ପେରିଆଲ କ୍ୟାପିଟାଲର ଅଂଶ ତ୍ରିମୁର୍ତ୍ତିଭବନ। ୧୯୪୮ ମସିହାରେ ତ୍ରିମୁର୍ତ୍ତି ଭବନ ବ୍ରିଟିଶ ଭାରତର ଶେଷ କମାଣ୍ଡର ବିଦାୟ ନେବା ପରେ ଏହା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସରକାରୀ ବାସଭବନ ହୋଇଥିଲେ। ସେ ଏଠାରେ ପ୍ରାୟ ୧୬ ବର୍ଷ ବାସ କରିଥିଲେ ଏବଂ ଏଠାରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ପରେ ତ୍ରି ମୁର୍ତ୍ତି ଭବନ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଥିଲେ। ସେବେଠାରୁ ଏହା ପଣ୍ଡିତ ନେହେରୁ ମେମୋରିଆଲ ଭାବରେ ପରିଚିତ ହୋଇଥିଲା । ବର୍ତ୍ତମାନ କେନ୍ଦ୍ର ସରକାର ନେହେରୁ ମେମୋରିଆଲକୁ ପିଏମ ମ୍ୟୁଜିୟମ ଏବଂ ସୋସାଇଟିରେ ନାମ ପରିବର୍ତ୍ତନ କରିଛନ୍ତି।

 

Share