Categories: ଜାତୀୟ

ପ୍ରଚାର ମଇଦାନକୁ ଯିବେ ନିର୍ବାଚନ ଲଢ଼ି ନ ଥିବା ଜୟଶଙ୍କର, ବଖାଣିବେ ୯ ବର୍ଷର ଉପଲବ୍ଧି…

ନୂଆଦିଲ୍ଲୀ,୮।୬ : ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଭାଜପା ଏକ ମାସର ଅଭିଯାନ ଆରମ୍ଭ କରିଛି। ଏହି ସମୟ ମଧ୍ୟରେ, ଗତ ୯ ବର୍ଷ ମଧ୍ୟରେ କେନ୍ଦ୍ର ସରକାର କରିଥିବା କାର୍ଯ୍ୟ ବିଷୟରେ ଲୋକଙ୍କୁ ସୂଚନା ଦିଆଯାଉଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ କେବେ ନିର୍ବାଚନ ଲଢ଼ି ନ ଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପ୍ରଚାର ମଇଦାନରେ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସଫଳତାକୁ ବଖାଣିବେ। ସେ ଗୁରୁବାର ତାଙ୍କର ଦୁଇ ଦିନିଆ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ଆଫଗାନିସ୍ତାନ ଶିଖ ଶରଣାର୍ଥୀ ଏବଂ ରୁଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ଅଧ୍ୟୟନ ଛାଡିଥିବା ଛାତ୍ରୀଛାତ୍ରମାନଙ୍କୁ ଭେଟିବେ।

ଏହି କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇ ଭାଜପା କହିଛି ଗୁରୁବାର ଜୟଶଙ୍କର ପ୍ରଖ୍ୟାତ ଫଟୋଗ୍ରାଫର ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ନରେଶ ବେଦୀ ଏବଂ ଲ୍ୟୁଟନାଟ ଜେନେରାଲ ଏସ.କେ ଗୁଲାଟି (ଅବସରପ୍ରାପ୍ତ) ଙ୍କୁ ରାଜୌରୀ ଉଦ୍ୟାନରେ ଭେଟିବେ। ପଶ୍ଚିମ ଦିଲ୍ଲୀର ଏମପି ପରଭେଶ ବର୍ମାଙ୍କ ସହ ୧୯୮୪ ମସିହାରେ ତିଲକ ବିହାରରେ ଶିଖ ବିରୋଧୀ ଦଙ୍ଗା ଦ୍ୱାରା ପ୍ରଭାବିତ ପରିବାରକୁ ଭେଟିବେ।

ଏଥି ସହିତ ସେ ପଶ୍ଚିମ ଦିଲ୍ଲୀର ମହାବୀର ନଗରରେ ଥିବା ଗୁରୁ ଅର୍ଜୁନ ଦେବ ଗୁରୁଦ୍ୱାରାକୁ ଯିବେ। ସେଠାରେ ତାଲିବାନ ଦଖଲ ପରେ ଦେଶ ଛାଡିଥିବା ଆଫଗାନିସ୍ତାନରୁ ଶିଖ ଶରଣାର୍ଥୀଙ୍କୁ ଭେଟିବେ।

 

Share