ଆମେରିକା ପ୍ରତିରକ୍ଷା, ବାଣିଜ୍ୟ ସଚିବଙ୍କୁ ଭେଟିଲେ ଜୟଶଙ୍କର

ଓ୍ବାଶିଂଟନ,୧ା୧୦: ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ପେଣ୍ଟାଗନରେ ଆମେରିକା ପ୍ରତିରକ୍ଷା ସଚିବ ଲୟଡ୍‌ ଅଷ୍ଟିନ୍‌ ଏବଂ ବାଣିଜ୍ୟ ସଚିବ ଗିନା ରାଇମଣ୍ଡୋଙ୍କୁ ଭେଟି ବିଭିନ୍ନ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ବଢ଼ାଇବା ସହ ପ୍ରତିରକ୍ଷା ସାମଗ୍ରୀ ମିଳିତ ଭାବେ ପ୍ରସ୍ତୁତ କରିବା ନେଇ ଅଷ୍ଟିନ୍‌ଙ୍କ ସହ ଫଳପ୍ରଦ ଆଲୋଚନା ହୋଇଥିବା ଜୟଶଙ୍କର କହିଛନ୍ତି। ବାଣିଜ୍ୟ ସଚିବଙ୍କ ସହ ଆଲୋଚନା ବେଳେ ସେ ଚଳିତ ବର୍ଷର ବୈଷୟିକ ସହଯୋଗ ଏବଂ ଅର୍ଥନୈତିକ ଭାଗୀଦାରିତାରେ ଉଲ୍ଲେଖନୀୟ ଉନ୍ନତିକୁ ପ୍ରଶଂସା କରିଥିଲେ। ଦିନକ ପୂର୍ବରୁ ଜୟଶଙ୍କର ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜାକ୍‌ ସୁଲିଭାନ, ବାଣିଜ୍ୟ ପ୍ରତିନିଧି କାଥେରିନ୍‌ ଟାଇ ଏବଂ ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କୁ ଭେଟି ଆଲୋଚନା କରିଥିଲେ।
ଓ୍ବାଶିଂଟନରେ ଅନୁଷ୍ଠିତ ବିଶ୍ୱ ସାଂସ୍କୃତିକ ଉତ୍ସବରେ ଯୋଗଦେଇ ଜୟଶଙ୍କର କହିଥିଲେ, ଜଳବାୟୁ ପରିବର୍ତ୍ତନ ଏବଂ ଆର୍ଥିକ ଅଗ୍ରଗତି ଭଳି ବୃହତ୍‌ ବୈଶ୍ୱିକ ଆହ୍ବାନର ମୁକାବିଲା ଏକାକୀ କରାଯାଇପାରିବ ନାହିଁ। ଏଥିପାଇଁ ସାରା ବିଶ୍ୱକୁ ଏକାଠି କରାଇବା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।

Share