୬୦ ଦିନରେ ୬୦ ଗଳ୍ପ ଲେଖିଲେ ଜୟଶ୍ରୀ

କଟକ ଅଫିସ, ୮।୧୨: ଲଗାତର ୬୦ ଦିନରେ ୬୦ ଗଳ୍ପ ଲେଖି ଚର୍ଚ୍ଚାରେ ରହିଛନ୍ତି କଟକର ଝିଅ ଜୟଶ୍ରୀ ସାହୁ। ବାଙ୍ଗାଲୋରର ଏକ ଜାତୀୟ ସ୍ତରୀୟ ସଂସ୍ଥା ପ୍ରତିଲିପି ଓଡ଼ିଆ ପକ୍ଷରୁ ଅନ୍‌ଲାଇନ ମାଧ୍ୟମରେ ୬୦ ଦିନରେ ୬୦ ଗଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ଜୟଶ୍ରୀ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। କମ୍‌ ବୟସରୁ ସାରସ୍ବତ ସାଧନାରେ ପାଦ ଥାପିଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି।
ପ୍ରତିଯୋଗିତାର ନିୟମ ଅନୁସାରେ, ଲଗାତର ୬୦ ଦିନ ପର୍ଯ୍ୟନ୍ତ ଓଡ଼ିଆରେ ଗଳ୍ପ ଲେଖି ପ୍ରତିଲିପିର ଅନ୍‌ଲାଇନ ପୃଷ୍ଠାରେ ପ୍ରକାଶ କରିବାକୁ ପଡିଥିଲା। ଗୋଟିଏ ଦିନ ଗଳ୍ପ ପ୍ରକାଶନ ବନ୍ଦ ହେଲେ ପ୍ରତିଯୋଗିତାରେ ଅଯୋଗ୍ୟ ବିବେଚିତ ହେବାର ସମ୍ଭାବନା ଥିଲା। ତେଣୁ ପ୍ରତ୍ୟେକ ରାତି ୧୨ଟାରେ ପ୍ରତିଲିପିର ଅନ୍‌ଲାଇନ ପୃଷ୍ଠାରେ ଗଳ୍ପର ବିଷୟ ପ୍ରଦାନ କରାଯାଉଥିଲା। ଏହାପରେ ତୁରନ୍ତ ସେହି ବିଷୟକୁ ଆଧାରକରି ଗଳ୍ପ ଲେଖିବାକୁ ପଡୁଥିଲା ବୋଲି ଜୟଶ୍ରୀ କହିଛନ୍ତି। ତାଙ୍କ ଲିଖିତ ଗଳ୍ପରେ ପାଠକଙ୍କ ସଂଖ୍ୟା ୧ ଲକ୍ଷରୁ ଊର୍ଦ୍ଧ୍ୱ ରହିଛି। ସେମାନଙ୍କ ମତାମତ ମୋତେ ଗଳ୍ପ ଲେଖିବା ପାଇଁ ଅଧିକ ପ୍ରେରଣା ଯୋଗାଇଛି ବୋଲି ଜୟଶ୍ରୀ କହିଛନ୍ତି। ପ୍ରତିଲିପି ଓଡ଼ିଆ ପକ୍ଷରୁ ତାଙ୍କୁ ବିଜୟୀ ଘୋଷଣା କରାଯିବା ସହ ପ୍ରତିଲିପି ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି। ଉକ୍ତ ସଂସ୍ଥା ପକ୍ଷରୁ ମାନପତ୍ରକୁ କୋରିୟରରେ ଶୈଳବାଳା ମହାବିଦ୍ୟାଳୟକୁ ପଠାଯାଇଥିଲା। ଅଧ୍ୟକ୍ଷା ସୁରେଖା ସୁନ୍ଦରୀ ସ୍ବାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିବା ସହ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଜୟଶ୍ରୀ ଜଣେ ମେଧାବୀ ଛାତ୍ରୀ। ସେ ଅନେକ ପ୍ରବନ୍ଧ, ଚିତ୍ରାଙ୍କନ, ବଂଶୀବାଦନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଭିନ୍ନ ସଂସ୍ଥା ପକ୍ଷରୁ ପୁରସ୍କୃତ ହୋଇଛନ୍ତି।

Share