Categories: ଜାତୀୟ

ଜି-୨୦ରେ ଜିନପିଙ୍ଗ ଏବଂ ପୁଟିନଙ୍କ ଅନୁପସ୍ଥିତି ନେଇଏସ ଜୟଶଙ୍କର ପ୍ରତିକ୍ରିୟା…

ନୂଆଦିଲ୍ଲୀ,୬।୯ : ଜି-୨୦ଶିଖର ସମ୍ମିଳନୀ ୯ ଏବଂ ୧୦ ସେପ୍ଟେମ୍ବରରେ ଭାରତର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଅଂଶଗ୍ରହଣ କରିବେ ନାହିଁ। ଜି -୨୦ ଶିଖର ସମ୍ମିଳନୀରେ ଏହି ଦୁଇ ନେତାଙ୍କ ଅଂଶଗ୍ରହଣ ନ ହେବା ନେଇ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଜୟଶଙ୍କର କହିଛନ୍ତି, ମୁଁ ଭାବୁଛି ଜି -୨୦ ରେ ବିଭିନ୍ନ ସମୟରେ କିଛି ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ କୌଣସି କାରଣରୁ ନ ଆସିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଯିଏ ସେହି ଅବସରରେ ସେହି ଦେଶର ପ୍ରତିନିଧୀ, ସେ ନିଜ ଦେଶ ଏବଂ ଏହାର ସ୍ଥିତିକୁ ଉପସ୍ଥାପନ କରିଥାଏ। ମୁଁ ଭାବୁଛି ସମସ୍ତେ ସମ୍ମିଳନୀକୁ ଗମ୍ଭୀରତାର ସହ ଆସୁଛନ୍ତି ।

 

ବାସ୍ତବରେ ଭାରତରେ ଆୟୋଜିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଅଂଶଗ୍ରହଣ କରିବେ ନାହିଁ। ତାଙ୍କ ସ୍ଥାନରେ ଚାଇନାର ପ୍ରିମିୟର ଲି କେକିଆଙ୍ଗ ସେପ୍ଟେମ୍ବର ୯-୧୦ ରେ ନୂଆଦିଲ୍ଲୀରେ ହେବାକୁ ଥିବା ବୈଠକରେ ବେଜିଂକୁ ପ୍ରତିନିଧିତ୍ୱ କରୁଥିବା ଦେଖିବାକୁ ମିଳିବ। ଅନ୍ୟପକ୍ଷରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିସାରିଛନ୍ତି ସେ ଭାରତ ଆସୁନାହାଁନ୍ତି ଏବଂ ତାଙ୍କ ସ୍ଥାନରେ ବୈଦେଶିକ ମନ୍ତ୍ରୀ ସର୍ଜେ ଲାଭରୋଭ ଜି-୨୦ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।

ଯେତେବେଳେ ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗଙ୍କୁ ଶି ଜିନପିଙ୍ଗ ଭାରତ ନ ଆସିବାର କାରଣ ପଚରାଯାଇଥିଲା, ସେ କହିଥିଲେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଚାଇନା ପ୍ରିମିୟର ଲି ଚିଆଙ୍ଗ ଦେଶକୁ ନେତୃତ୍ୱ ନେବେ। ଅନ୍ତର୍ଜାତୀୟ ଅର୍ଥନୈତିକ ସହଯୋଗ ପାଇଁ ଜି-୨୦ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ। ଏହି ସମ୍ମିଳନୀର ଉତ୍ସବରେ ଚାଇନା ଅଂଶଗ୍ରହଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

 

Share