ଫୁଲବାଣୀ ଅଫିସ,୨୫।୧୦: ରକ୍ତ ମୁଁହା ହୋଇଉଠିଛନ୍ତି ମାଓବାଦୀ। ପୋଲିସ ଗୁଳିରେ ପ୍ରାଣ ହରାଇଥିବା ମହିଳା ମାଓବାଦୀଙ୍କ ପ୍ରତିଶୋଧ ନେବାକୁ ଯାଇ ଦୁଇ ଦିନ ହେଲା ତାଣ୍ଡବ ଚଳାଇଛନ୍ତି ମାଓବାଦୀ।
ପୋଲିସ ଇନ୍ଫରମର ସନ୍ଦେହରେ ଜଣକୁ ହତ୍ୟା କରିବା ପରେ ଏକ ଠିକା ସଂସ୍ଥା କ୍ୟାମ୍ପରେ ପୋଡାଜଳା କରିଛନ୍ତି। କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସୁଡ୍ରା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ କାମ କରୁଥିବା ଏକ ଠିକା ସଂସ୍ଥାର ଗୋଟିଏ ଜେସିବି, ୨ଟି ଟ୍ରାକ୍ଟର ଓ ୨ଟି ମିକ୍ସଚର ମେଶିନ ପୋଡ଼ି ଦେଇଛନ୍ତି।
ମିଳିଥିବା ସୂଚନା ମୁତାବକ, ସୋମବାର ରାତିରେ ୨୦ରୁ ଊର୍ଦ୍ଧ୍ୱ ସଶସ୍ତ୍ର ମାଓବାଦୀ କ୍ୟାମ୍ପରେ ପଶି ଏହି ତାଣ୍ଡବ ରଚିଥିଲେ। ସୂଚନାଯୋଗ୍ୟ ପୂର୍ବରୁ ପୋଲିସ ଗୁଳିରେ ନିହତ ହୋଇଥିବା ମାଓବାଦୀଙ୍କ ପାଇଁ ୨୫ତାରିଖକୁ ବନ୍ଦ ଡାକରା ଦେଇଥିଲା ମାଓବାଦୀ ସଂଗଠନ । ସୋମବାର ସାରେ ନୀଳକଣ୍ଠ ମଲିକ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଥିଲେ ମାଓବାଦୀ। ମାଓନେତା ସଚିବ ବିଜୟ ଏକ ପ୍ରେସ ବିଜ୍ଞପ୍ତି ଜାରି ଏହି ସୂଚନା ଦେଇଥିବା ବେଳେ ପୋଲିସ ସମ୍ମୁଖରେ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।