Categories: ଜାତୀୟ

ଭାଜପା ଆଡ଼କୁ ଢଳୁଛି ଜେଡିଏସ୍‌

ନୂଆଦିଲ୍ଲୀ,୮ା୬: କର୍ନାଟକ ବିଧାନସଭା ନିର୍ବାଚନରେ ସବୁଠୁ ଖରାପ ପ୍ରଦର୍ଶନ କରିଥିବା ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ଏବେ ଭାଜପା ଆଡ଼କୁ ଢଳିବା ଆରମ୍ଭ କରିଛି। ଏଥିଲାଗି ୨୦୨୪ ସାଧାରଣ ନିର୍ବାଚନ ବେଳେ ଦୁଇଦଳ ମଧ୍ୟରେ ମେଣ୍ଟ ହୋଇପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ୨୦୧୯ ଲୋକ ସଭା ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ଦଳ ରାଜ୍ୟର ୨୮ ଆସନରେ ଲଢ଼ି ମାତ୍ର ଗୋଟିଏ ଆସନ ଜିତିଥିଲା। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ୨୨୪ ଆସନରୁ ମାତ୍ର ୧୯ରେ ସନ୍ତୁଷ୍ଟ ରହିଥିଲା। ତେଣୁ ଦେବେଗୌଡ଼ା ଓ ତାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ନିଜ ଜନାଧାର ବଞ୍ଚାଇବା ପାଇଁ ଭାଜପା ସହ ମେଣ୍ଟ କରିବାକୁ ଆଗ୍ରହ ପ୍ରକାଶ କରୁଥିବା କୁହାଯାଉଛି। ଏହା ପୂର୍ବରୁ ମେ’ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନ ଉଦ୍‌ଘାଟନ କରିଥିବାବେଳେ ଅନେକ ବିରୋଧୀ ଦଳ ଏହାକୁ ବର୍ଜନ କରିଥିଲେ। କିନ୍ତୁ ଦେବେଗୌଡ଼ା ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏପରି କି ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣାକୁ ନେଇ ବିରୋଧୀ ଦଳଗୁଡ଼ିକ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରୁଥିବାବେଳେ ତାଙ୍କ ସମର୍ଥନରେ ଦେବେଗୌଡ଼ା ବାହାରିଛନ୍ତି।

Share