ବେଙ୍ଗାଲୁରୁ, ୨୬।୭: ଧର୍ମନିରପେକ୍ଷ ଜନତା ଦଳ(ଜେଡିଏସ୍) ଆସନ୍ତା ଲୋକ ସଭା ନିର୍ବାଚନ ଏକାକୀ ଲଢ଼ିବ ବୋଲି ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଏହାର ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍. ଡି. ଦେବେଗୌଡ଼ା କହିଛନ୍ତି। ତେବେ ନିକଟରେ ଦଳ ଭାଜପା ସହ ସମ୍ପର୍କରେ ଆସିଥିବାରୁ ଭବିଷ୍ୟତର ସ୍ଥିତି ଦେଖି ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।
ଦେବେଗୌଡ଼ା କହିଛନ୍ତି, ଚଳିତ ମାସ ପ୍ରାରମ୍ଭରେ ଏଠାରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହୋଇଥିବା ବୈଠକକୁ ତାଙ୍କୁ ଡକାଯାଇ ନ ଥିଲା। କର୍ନାଟକ କଂଗ୍ରେସର ଗୋଟେ ଗୋଷ୍ଠୀ ତାଙ୍କୁ ବିରୋଧ କରିଥିଲା। ହେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉକ୍ତ ବୈଠକରେ ତାଙ୍କ ଉପସ୍ଥିତି ଚାହୁଁଥିଲେ ବୋଲି ଦେବେଗୌଡ଼ା କହିଛନ୍ତି। ତାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍. ଡି. କୁମାରସ୍ବାମୀ ଗତ ସପ୍ତାହରେ କହିଥିଲେ ଯେ, ତାଙ୍କ ଦଳ ଭାଜପା ସହ ମିଶି କାର୍ଯ୍ୟ କରିବ। ସୂଚନାଯୋଗ୍ୟ, ୧୦ ଜଣ ଭାଜପା ସଦସ୍ୟ ବିଧାନସଭାରେ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗରେ ଗୃହରୁ ନିଲମ୍ବିତ ହେବାରୁ ଉଭୟ ଜେଡିଏସ୍ ଓ ଭାଜପା ବିଧାୟକମାନେ ବିଧାନସଭା ଅଧିବେଶନକୁ ବର୍ଜନ କରିିଥିଲେ।
ଦେବେଗୌଡ଼ା କହିଛନ୍ତି, ତାଙ୍କ ଦଳ ଯେଉଁଠାରେ ଭଲ ସ୍ଥିତିରେ ରହିଛି, ସେଠାରେ ଦଳୀୟ କର୍ମକର୍ତ୍ତାଙ୍କ ସହ ବିଚାରବିମର୍ଶ କରି ପ୍ରାର୍ଥୀ ଦେବ। ତା’ ପରେ ସ୍ଥିତି ଦେଖି ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ସେ କହିଛନ୍ତି।