Categories: ଜାତୀୟ

ଭାଜପା ସହ ଏକାଠି କାମ କରିବ ଜେଡିଏସ୍‌: କୁମାରସ୍ବାମୀ

ନୂଆଦିଲ୍ଲୀ,୨୨ା୭: କର୍ନାଟକର ସ୍ବାର୍ଥ ପାଇଁ ଜେଡିଏସ୍‌ ଭାଜପା ସହ ଏକାଠି ବିରୋଧୀ ଦଳ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିବା ଏହାର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ଶୁକ୍ରବାର ଘୋଷଣା କରିଛନ୍ତି। ଦଳ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ା ତାଙ୍କୁ କ୍ଷମତା ଦେଇଥିବା କୁମାରସ୍ବାମୀ କହିଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନରେ ଜେଡିଏସ୍‌ ଏନ୍‌ଡିଏ ମେଣ୍ଟରେ ସାମିଲ ହେବା ସମ୍ଭାବନା ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି। ଗୁରୁବାର ରାତିରେ ଜେଡିଏସ୍‌ ବିଧାୟକ ଦଳ ବୈଠକରେ ହୋଇଥିବା ଆଲୋଚନା ସମ୍ପର୍କରେ ପ୍ରଶ୍ନ୍‌ କରାଯିବାରୁ କୁମାରସ୍ବାମୀ କହିଥିଲେ, ବିଧାନସଭା ଭିତରେ ଓ ବାହାରେ ଭାଜପା ଏବଂ ଜେଡିଏସ୍‌ ବିରୋଧୀ ଦଳ । ରାଜ୍ୟର ସ୍ବାର୍ଥ ପାଇଁ ସେମାନେ ଏକାଠି କାମ କରିବାକୁ ନିଷ୍ପତ୍ତି ହୋଇଛି। ଜେଡିଏସ୍‌ର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏବେ ସାଂଗଠନିକ ପରିବର୍ତ୍ତନ ଯୋଜନା ହେଉଛି। ପାର୍ଲାମେଣ୍ଟ ନିର୍ବାଚନ ଆଉ ୧୧ ମାସ ରହିଛି। ଏନ୍‌ଡିଏ ସହ ଏକାଠି ନିର୍ବାଚନ ଲଢ଼ିବା ନେଇ ସେତେବେଳେ ନିଷ୍ପତ୍ତି ନିଆଯିବ ବୋଲି କୁମାରସ୍ବାମୀ କହିଥିଲେ।

Share