Categories: ଜାତୀୟ

ଅଲଗା ହେବେ ଭାଜପା-ଜେଡିୟୁ, ନୀତୀଶଙ୍କ ଘରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ!

ପାଟନା,୯ ।୮: ବିହାରରେ ଜନତା ଦଳ ୟୁନାଇଟେଡ(ଜଡିୟୁ) ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ଚାଲିଥିବା କନ୍ଦଳ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କୁହାଯାଉଛି । ଏହାକୁ ନେଇ ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି ଜଣାପଡିଛି । ଏଥିରେ ଜେଡିୟୁର ଏମ୍‌ପି ଓ ବିଧାୟକମାନେ ଯୋଗଦେବେ । ଅନୁମାନ କରାଯାଉଛି କି ମେଣ୍ଟର ଭବିଷ୍ୟତକୁ ନେଇ କିଛି ବଡ ନିଷ୍ପତ୍ତି ନିଆଯାଇପାରେ । ସୂଚନାଯୋଗ୍ୟ, ଜେଡିୟୁର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଆରସିପି ସିଂ ଦଳ ଛାଡିବା ପରେ ଉତ୍ପନ୍ନ ସ୍ଥିତିକୁ ନେଇ ଆଲୋଚନା କରିବାକୁ ବୈଠକ ଡକାଯାଇଛି ।
ବୈଠକର ଗୋଟିଏ ଦିନ ପୂର୍ବରୁ ଜେଡିୟ ପ୍ରବକ୍ତା କେସି ତ୍ୟାଗୀ କହିଛନ୍ତି, ନୀତୀଶ କୁମାର ଜେଡିୟୁର ନିର୍ବିବାଦୀୟ ନେତା । ଦଳର ସମସ୍ତ ନେତା ଓ କର୍ମୀ ତାଙ୍କୁ ସମ୍ମାନ ଦିଅନ୍ତି । ତେଣୁ ଦଳ ମଧ୍ୟରେ କୌଣସି ବିଭାଜନର ପ୍ରଶ୍ନ ଉଠୁ ନାହିଁ । ନୀତୀଶଙ୍କ ନେତୃତ୍ୱରେ ଦଳ ଯାହା ବି ନିଷ୍ପତ୍ତି ନେବ ତାକୁ ଗ୍ରହଣ କରାଯିବ ।
ସୂଚନାଯୋଗ୍ୟ, ଆରଜେଡି ବି ସକାଳ ୧୧ଟାରେ ରାବ୍ରି ଦେବୀଙ୍କ ଘରେ ୧୦ ସର୍କୁଲାର ରୋଡରେ ତା’ର ବିଧାୟକଙ୍କ ବୈଠକ ଡାକିଛି । ଅନ୍ୟପଟେ ଜିତନରାମ ମାଝି ବି ସନ୍ଧ୍ୟା ୭ଟାରେ ତାଙ୍କ ଦଳର ବିଧାୟକଙ୍କ ସହ ନିଜ ଘରେ ଏକ ବୈଠକ କରିବେ ବୋଲି ଜଣାପଡିଛି ।

Share