Categories: ଜାତୀୟ

ଜେଡିୟୁ ଘର କଳି ପଦାରେ: ଲଲନ-ଅଶୋକ ମୁହାଁମୁହିଁ…

ପାଟନା,୩୦।୯ : ଜେଡିୟୁରେ ସବୁକିଛି ଠିକ ଚାଲିନାହିଁ, ଲଲନ ସିଂ ଏବଂ ଅଶୋକ ଚୌଧୁରୀଙ୍କ ମଧ୍ୟରେ ପାରସ୍ପରିକ ବିବାଦ କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ଜେଡିୟୁ ଘର କଳି ପଦାରେ ପଡ଼ିବା ପରେ ଭାଜପା ପକ୍ଷରୁ ଆରଜେଡି ଏବଂ ଜେଡିୟୁକୁ ଟାର୍ଗେଟ କରାଯାଇଛି। ଲଲାନ ଏବଂ ଅଶୋକଙ୍କ ମଧ୍ୟରେ ବଢୁଥିବା ବିବାଦ ଉପରେ ଭାଜପା ଜେଡିୟୁକୁ ଟାର୍ଗେଟ କରି କହିଛି ଏହି କଳି ପ୍ରକୃତରେ ଲଲନ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମଧ୍ୟରେ ହେଉଛି। ଭାଜପା କହିଛି ଜେଡିୟୁ ଖୁବ ଶୀଘ୍ର ଦୁଇ ଭାଗରେ ବିଭକ୍ତ ହେବାକୁ ଯାଉଛି। କିଛି ଲୋକ ଆମ ପାଖକୁ ଆସିବେ, କିଛି ଲୋକ ଅନ୍ୟତ୍ର ଯିବେ ଏବଂ ନୀତୀଶ କୁମାର ହରିଦ୍ୱାର ଯିବେ ।

ଏଥି ସହ ଜେଡିୟୁ ଏହି ବିବୃତ୍ତିର ଜବାବରେ କହିଛି ନୀତୀଶ କୁମାରଙ୍କୁ ଭାଜପା ଭୟ କରୁଛି। ସେଥିପାଇଁ ଏଭଳି ମିଥ୍ୟା ପ୍ରଚାର କରାଯାଉଛି। ଜେଡିୟୁ ଏବେ ଏକଜୁଟ ହୋଇଛି। କର୍ମୀଙ୍କ ଠାରୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ ସମସ୍ତେ ନୀତୀଶ କୁମାରଙ୍କ ସହ ଅଛନ୍ତି ଏବଂ ଦଳରେ କୌଣସି ମତଭେଦ ନାହିଁ। ଦଳର ନେତାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ନାହିଁ। ସମସ୍ତଙ୍କର ନିଜର ମତ ଅଛି, କିନ୍ତୁ ଦଳରେ କୌଣସି ଏକଛତ୍ରବାଦୀ ଶାସନ ଚାଲିନାହିଁ।

ଭାଜପାରେ ଏକଛତ୍ରବାଦୀ ଶାସନ ଚାଲିଛି। ଭାଜପା ଏକ ଦଳ ନୁହେଁ। ଏହା ଏକ କର୍ପୋରେଟ ସଂସ୍ଥା। ଯେଉଁଠାରେ ଜଣେ ସିଇଓ ଅଛନ୍ତି ଏବଂ ସେ ଯାହା କୁହନ୍ତି, ତାହା ହୋଇଥାଏ। ଆମେ ସମସ୍ତେ ନୀତୀଶ କୁମାରଙ୍କ ଅନୁଗାମୀ। ଜନତା ଦଳ ୟୁନାଇଟେଡ(ଜେଡ଼ିୟୁ)କୁ ଭାଜପା କେବେ ବି ଭାଙ୍ଗି ପାରିବ ନାହିଁ।

ଅଶୋକ ଲଲନଙ୍କ ବିଷୟରେ ବିବୃତ୍ତି ଦେଇଛନ୍ତି ଏବଂ କହିଛନ୍ତି ସେ ମୋର ବଡ଼ ଭାଇ, ସେ କିଛି କହିପାରିବେ, କିନ୍ତୁ ଭାଜପା ପାଖରେ କୌଣସି ପ୍ରସଙ୍ଗ ନ ଥିବାରୁ ଦଳ ଏଭଳି ଅଯଥା ପ୍ରଚାର କରୁଛି। ଏହାର କିଛି ମଧ୍ୟ ପ୍ରଭାବ ଅନୁଭୁତ ହେବ ନାହିଁ।

Share