Categories: ଜାତୀୟ

ଜେଡିୟୁ-ଶିବସେନା ପୂର୍ବରୁ ଥିଲେ ଭଲ, ଏବେ ହେଲେ ଦୁର୍ନୀତିଗ୍ରସ୍ତ: ମୋଦିଙ୍କୁ ସିବଲଙ୍କ ଜବାବ…

ନୂଆଦିଲ୍ଲୀ,୨୯।୩ : ରାଜ୍ୟସଭା ଏମପି କପିଲ ସିବଲ କ୍ରମାଗତ ଭାବେ ଶାସକ ଦଳକୁ ଟାର୍ଗେଟ କରୁଛନ୍ତି। ଏବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ଭାଜପା ମୁଖ୍ୟାଳୟରେ କରାଯାଇଥିବା ସମ୍ପ୍ରସାରଣ କାର୍ଯ୍ୟର ଉଦଘାଟନ କରି ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ, ସମସ୍ତ ଦୁର୍ନୀତିଗ୍ରସ୍ତ ଗୋଟିଏ ପ୍ଲାଟଫର୍ମରେ ଏବେ ଏକଜୁଟ ହୋଇଛନ୍ତି।

ଏହି ମନ୍ତବ୍ୟକୁ ନେଇ କପିଲ ସିବଲ କହିଛନ୍ତି ଯେ ଜେଡିୟୁ ଏବଂ ଶିବସେନା (ଉଦ୍ଧବ ଠାକରେ) ଏକଦା ଭାଜପାର ସହଯୋଗୀ ଥିଲେ। ସେତେବେଳେ ସେମାନେ ସ୍ବଚ୍ଛ ଏବଂ ଭଲ ଥିଲେ। କିନ୍ତୁ ବର୍ତ୍ତମାନ ସେମାନେ ଭାଜପା ହାତ ଛାଡ଼ିଥିବାରୁ ଦୁର୍ନୀତିଗ୍ରସ୍ତ ପାଲଟିଛନ୍ତି!

କପିଲ ସିବଲ ଟୁଇଟ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିରୋଧୀ ଭୟଭୀତ ଅଛନ୍ତି ଏବଂ ସମସ୍ତ ଦୁର୍ନୀତିଗ୍ରସ୍ତ ଗୋଟିଏ ପ୍ଲାଟଫର୍ମରେ ଆସିଛନ୍ତି କିନ୍ତୁ ମୋଦି ଜୀ, ଶିବସେନା, ଅକାଳୀ ଦଳ, ଜେଡିୟୁ, ପିଡିପି, ବିଏସପି ଆପଣଙ୍କର ସମସ୍ତ ସହଯୋଗୀ ଥିଲେ। ଆପଣ ସେମାନଙ୍କ ସହ ସରକାର ଗଠନ କରିଥିଲେ। ଏବେ ସେସବୁ ଦଳ ଭାଜପାଠାରୁ ଦୂରେଇ ଯାଇଛନ୍ତି। ତେଣୁ ବର୍ତ୍ତମାନ ସେମାନେ ଦୁର୍ନୀତିଗ୍ରସ୍ତ ହୋଇଛନ୍ତ। କିନ୍ତୁ ପୂର୍ବରୁ ସେମାନେ ଆପଣଙ୍କ ଆଖିରେ ସେପରି ନ ଥିଲେ କି? ବୋଲି ସିବଲ ପ୍ରଶ୍ନ କରିଛନ୍ତି।’

Share