Categories: ଜାତୀୟ

ଅରୁଣାଚଳରେ ଜେଡିୟୁକୁ ଝଟ୍‌କା

ଇଟାନଗର, ୨୬।୧୨ : ଅରୁଣାଚଳପ୍ରଦେଶରେ ସଂଯୁକ୍ତ ଜନତା ଦଳ (ଜେଡିୟୁ)କୁ ଶକ୍ତ ଝଟ୍‌କା ଲାଗିଛି। ସେଠାର ୬ ଜଣ ଜେଡିୟୁ ବିଧାୟକ ଭାଜପାରେ ଯୋଗଦେଇଛନ୍ତି। ଏହା ବ୍ୟତୀତ ପିପୁଲ୍ସ ପାର୍ଟି ଅଫ୍‌ ଅରୁଣାଚଳ(ପିପିଏ)ର ଏକମାତ୍ର ବିଧାୟକ କାର୍ଡୋ ନିଗ୍ୟୋର୍‌ ମଧ୍ୟ ଭାଜପାରେ ସାମିଲ ହୋଇଛନ୍ତି। ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ଏଭଳି ପରିବର୍ତ୍ତନ ଘଟିଛି।
ଭାଜପାରେ ସାମିଲ ହୋଇଥିବା ଜେଡିୟୁ ବିଧାୟକମାନେ ହେଲେ ତାଲେମ ଟାବୋହ, ହାୟେଙ୍ଗ୍‌ ମାଙ୍ଗ୍‌ଫି, ଜିକେ ଟାକୋ, ଦୋର୍ଜି ଓ୍ବାଙ୍ଗ୍‌ଡି ଖାର୍ମା, ଡୋଙ୍ଗ୍ରୁ ସିଓଙ୍ଗ୍‌ଜୁ ଏବଂ କାଙ୍ଗୋଙ୍ଗ୍‌ ଟାକୁ। ଦଳବିରୋଧୀ କାର୍ଯ୍ୟ ଲାଗି ସିଓଙ୍ଗ୍‌ଜୁ, ଖାର୍ମା ଓ ଟାକୁଙ୍କୁ ଜେଡିୟୁ ନଭେମ୍ବର ୨୬ରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା। ବରିଷ୍ଠ ନେତାଙ୍କୁ ନ ଜଣାଇ ଏମାନେ ତାଲେମ୍‌ ଟାବୋହଙ୍କୁ ନୂଆ ସଂସଦୀୟ ଦଳ ନେତା ନିର୍ବାଚନ କରିଥିଲେ। ପିପିଏ ବିଧାୟକ ମଧ୍ୟ ପୂର୍ବରୁ ତାଙ୍କ ଦଳରୁ ନିଲମ୍ବିତ ହୋଇଥିଲେ। ଭାଜପାରେ ଯୋଗଦେବା ଲାଗି ଉପରୋକ୍ତ ବିଧାୟକମାନେ ଦେଇଥିବା ପତ୍ରକୁ ଆମେ ଗ୍ରହଣ କରିଛୁ ବୋଲି ଦଳର ରାଜ୍ୟ ସଭାପତି ବି.ଆର୍‌. ଓ୍ବାଘେ କହିଛନ୍ତି।

Share