ଭିଜିଲାନ୍ସ ଜାଲରେ ଜେଇ: ଏପର୍ଯ୍ୟନ୍ତ ମିଳିଲାଣି ୩୦ ଏଟିଏମ୍‌ ସହ ପୁଳାପୁଳା ଟଙ୍କା

ମାଲକାନଗିରି,୩୦।୧(ଦୁର୍ଯ୍ୟେଧନ ପାତ୍ର):ମାଲକାନଗିରି ଜିଲା କାଡା ଅଫିସର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତିଙ୍କ ଘର ଓ ଅଫିସରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ସ୍ଥିତ ଭଡ଼ା ଘର ଓ ସରକାରୀ କାର୍ଯ୍ୟାଳୟ ସହ ଭୁବନେଶ୍ବର ଓ ବାଲେଶ୍ବର ବାସଭବନ ଉପରେ ଏକା ସମୟରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ। ମାଲକାନଗିରି ସମେତ ନିଜ ଘର ଜଳେଶ୍ୱର ଓ ଭୁବନେଶ୍ବରରେ ଥିବା ନିଜସ୍ବ ଏକ ଫ୍ଲାଟ ଓ ପୋଖରୀପୁଟରେ ଥିବା ଶ୍ୱଶୁର ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ମାଲକାନଗିରି ଭଡ଼ା ଘରୁ ଏ ପର୍ଯ୍ୟନ୍ତ ୧ ଲକ୍ଷ ୨୦ ହଜାର ଟଙ୍କା ନଗଦ ମିଳିଥିବା ବେଳେ ଏକାଧିକ ବ୍ୟାଙ୍କ ଏକାଉଣ୍ଟର ପାସ ବୁକ ସହ ୩୦ଟି ଏଟିଏମ ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ବିଭାଗ। ଜୟପୁର ଭିଜିଲାନ୍ସ ଅତିରିକ୍ତ ଏସପି ଅରୁଣ କୁମାର ନାୟକଙ୍କ ଏହି ଚଢ଼ାଉ ଜାରି ରହିଛି।

Share