ଲଣ୍ଡନ, ୫।୯: ସୋମବାର ଆରମ୍ଭ ହେବ ବ୍ରିଟିଶ ପାର୍ଲାମେଣ୍ଟ। ଏହି ପରିପ୍ରେକ୍ଷୀରେ ହାଉସ୍ ଅଫ୍ କମନ୍ସର ବାଚସ୍ପତି ଏମ୍ପିମାନଙ୍କ ପାଇଁ ଥିବା ଡ୍ରେସ୍ କୋଡ୍କୁ କଡ଼ାକଡ଼ି କରିଛନ୍ତି। ଜିନ୍ସ ଏବଂ ସ୍ପୋଟର୍ସଓ୍ବେର ପାର୍ଲାମେଣ୍ଟ ପୋଷାକ ନୁହେଁ। ଉପଯୁକ୍ତ ପୋଷାକ ପରିଧାନ କରି ଆସିବାକୁ ବାଚସ୍ପତି ସାର୍ ଲିଣ୍ଡସେ ହୋଲେ କହିଛନ୍ତି।
କୋଭିଡ୍-୧୯ ଲକ୍ଡାଉନ ବେଳେ ହାଉସ୍ ଅଫ୍ କମନ୍ସରେ ବ୍ୟବହାର ଓ ଶିଷ୍ଟାଚାର ନିୟମାବଳୀରେ କୋହଳ କରାଯାଇଥିଲା। ଏମ୍ପିମାନଙ୍କୁ ଚାମ୍ବରରୁ ଭର୍ଚୁଆଲି ଅଧିବେଶନରେ ଯୋଗଦେବା ଲାଗି ଅନୁମତି ମିଳୁଥିଲା। ଏବେ କୋଭିଡ୍ ସ୍ଥିତିରେ ଉନ୍ନତି ଆସିଥିବାରୁ ବାଚସ୍ପତି ଏମ୍ପିମାନଙ୍କ ବ୍ୟବହାର ଓ ଶିଷ୍ଟାଚାର ନିୟମାବଳୀରେ ସଂଶୋଧନ କରିଛନ୍ତି। ନୂତନ ନିୟମାବଳୀ ଅନୁଯାୟୀ ଏମ୍ପିମାନେ ଉପଯୁକ୍ତ ପୋଷାକ ପରିପାଟ୍ଟି ଉପରେ ଧ୍ୟାନଦେବେ, ଭୋଟର ଓ ପାର୍ଲାମେଣ୍ଟ ପ୍ରତି ସମ୍ମାନ ପ୍ରଦର୍ଶନ କରିବେ। ଚାମ୍ବର ଭିତରେ ଓ ବାହାରେ ସଦସ୍ୟମାନଙ୍କୁ ଆନୁଷ୍ଠାନିକ ପୋଷାକ ପିନ୍ଧିବାକୁ ହେବ । ଜିନ୍ସ, ସିନୋସ୍, ସ୍ପୋଟର୍ସଓ୍ବେର, ଟି-ଶାର୍ଟ, ସ୍ଲିଭ୍ଲେସ୍ ଟପ୍ ଆଦି ଉପଯୁକ୍ତ ପୋଷାକ ନୁହେଁ। ସେହିପରି କାଜୁଆଲ ଜୋତା ବଦଳରେ ସ୍ମାର୍ଟ/ବିଜିନେସ୍ ସୁଜ୍ ପିନ୍ଧିବାକୁ କୁହାଯାଇଛି। ପୁରୁଷ ଏମ୍ପିମାନେ ଟାଇ ଏବଂ ଜାକେଟ ପରିଧାନ କରିବା ବାଧ୍ୟତାମୂଳକ କରାଯାଇଛି।